ଉଦ୍ୟମ ସଂସାଧନ ଯୋଜନା (ଇଆର୍ପି)
From Wikipedia, the free encyclopedia
ଉଦ୍ୟମ ସଂସାଧନ ଯୋଜନା – ଇଆର୍ପି (ଈଂରାଜୀରେ enterprise resource planning - ERP) ହେଉଛି ପ୍ରଯୁକ୍ତି ବିଦ୍ୟା ବା କୌଣସି ସଫ୍ଟୱେର୍ ସହାୟତାରେ ଏକ ଉଦ୍ୟୋଗ, ସଂସ୍ଥାନ (ଅବା କମ୍ପାନୀ)ର ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରକ୍ରିୟାର ପରିଚାଳନା କରିବା । ବ୍ୟବସାୟରେ ଦୈନନ୍ଦିନ ଜୀବନର ଲେଖା ଓ କାର୍ଯ୍ୟକଳାପର ଏକ ଚିତ୍ର ସାଧାରଣତଃ ଏହି ଇଆର୍ପି ସଫ୍ଟୱେର୍ ବା ବ୍ୟବସ୍ଥା (ଈଂରାଜୀରେ System) ମଧ୍ୟରେ ପ୍ରସ୍ଫୁଟିତ ଓ ଗଚ୍ଛିତ ହେଉଥାଏ ।
ଇଆର୍ପିକୁ ଏକ ପ୍ରକାରର ବ୍ୟବସାୟ-ପରିଚାଳନା ସଫ୍ଟୱେର୍ ଭାବେ ଗଣନା କରାଯାଇଥାଏ । ଏହି ଇଆର୍ପି ବ୍ୟବସ୍ଥା ମଧ୍ୟରେ ଅନେକ ପ୍ରକାରର ଆପ୍ଲିକେସନ୍ ସଫ୍ଟୱେର୍ ରହିଥାନ୍ତି, ଯେଉଁମାନଙ୍କ ଉପଯୋଗ କରି ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପର ତଥ୍ୟ ଗଚ୍ଛିତ କରି ରଖାଯାଏ ଓ ଆବଶ୍ୟକତା ଅନୁସାରେ ଏହାର ବିଶ୍ଳେଷଣ କରି କୌଣସି ବ୍ୟବସାୟିକ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।
ଇଆର୍ପି ବିଭିନ୍ନ ବ୍ୟବସାୟିକ ପ୍ରକ୍ରିୟାର ତଥ୍ୟ ନିରବଚ୍ଛିନ୍ନ ଭାବରେ ଗୋଟିଏ ତଥ୍ୟାଗାର (ଈଂରାଜୀରେ Database - ଡେଟାବେସ୍) ମଧ୍ୟରେ ସଂଗ୍ରହ କରି ରଖୁଥିବାରୁ ଯେକୌଣସି ସମୟରେ ବ୍ୟବସାୟର ଏକ ପ୍ରକୃତ ଏବଂ ସମ୍ପୂର୍ଣ୍ଣ ଅବସ୍ଥାର ଚିତ୍ର ପ୍ରଦର୍ଶନ କରିବା ସହଜସାଧ୍ୟ ହୋଇପାରେ । ଇଆର୍ପି ବ୍ୟବସ୍ଥାଦ୍ୱାରା ଯେକୌଣସି ସମୟରେ ସଂସ୍ଥାନର ଆର୍ଥିକ ସ୍ୱଚ୍ଛଳତା, ଉତ୍ପାଦନ ନିମନ୍ତେ କଞ୍ଚାମାଲର ଆବଶ୍ୟକତା, ଉତ୍ପାଦନ କ୍ଷମତା ଇତ୍ୟାଦି ବିଷୟରେ ଜାଣିହେବ । ତା'ସହିତ ଗ୍ରାହକଙ୍କୁ ଜିନିଷ ପହଞ୍ଚାଇବା, ବିକ୍ରେତାଙ୍କ ପାଉଣା ପୈଠ କରିବା, କର୍ମଚାରୀଙ୍କୁ ବେତନ ଦେବା ଇତ୍ୟାଦି ବିଭିନ୍ନ ପ୍ରକାରର ବ୍ୟବସାୟ ଭିତ୍ତିକ ପ୍ରତିବଦ୍ଧତା କେଉଁ ଅବସ୍ଥାରେ ରହିଛି ତାହା ମଧ୍ୟ ସହଜରେ ଜାଣିହେବ । ବିଭିନ୍ନ ଆପ୍ଲିକେସନ୍ ସଫ୍ଟୱେର୍ଙ୍କୁ ନେଇ ଗଠିତ ଏହି ବ୍ୟବସ୍ଥା ମଧ୍ୟରେ ଏକ ସଂସ୍ଥାନର ସମସ୍ତ ବିଭାଗଙ୍କ (ଯଥା କ୍ରୟ ବିଭାଗ, ବିକ୍ରୟ ବିଭାଗ, ଅର୍ଥ ବିଭାଗ, ଉତ୍ପାଦନ ବିଭାଗ) ବ୍ୟବସାୟିକ ତଥ୍ୟ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯାଇପାରିବ ।[1] ବ୍ୟବସାୟ ସମ୍ପାଦନ କରୁଥିବା ବିଭିନ୍ନ ବିଭାଗ ବା ଅଙ୍ଗମାନଙ୍କ ମଧ୍ୟରେ ତଥ୍ୟ ଆଦାନପ୍ରଦାନ କରିବା ସହିତ ଇଆର୍ପିଦ୍ୱାରା ବାହ୍ୟ ବ୍ୟବସାୟିକ ସହଯୋଗୀ, ଷ୍ଟକ୍ ମାଲିକ, ସରକାର ଓ କର ଆଦାୟକାରୀ ସଂସ୍ଥା ଇତ୍ୟାଦିଙ୍କୁ ମଧ୍ୟ ଆବଶ୍ୟକୀୟ ସୂଚନା ଓ ତଥ୍ୟ ଯୋଗାଇ ଦିଆଯାଇ ପାରିବ ।[2]
ବିଭିନ୍ନ ପ୍ରକାରର ବ୍ୟବସାୟ ମଡେଲ୍ ତଥା ବ୍ୟବସାୟିକ ପ୍ରକ୍ରିୟାର ସୁପରିଚାଳନା ନିମନ୍ତେ ଏକ ଇଆର୍ପି ସଫ୍ଟୱେର୍ ବା ଆପ୍ଲିକେସନ୍ର ପରିକଳ୍ପନା ଓ ବିକାଶ କରିବା ମଧ୍ୟ ଆଉ ଏକ ପ୍ରକାରର ବ୍ୟବସାୟ । ଏହି ଇଆର୍ପି ସଫ୍ଟୱେର୍ର ପରିଚାଳନା ପାଇଁ ବିଗତ କିଛି ବର୍ଷ ଧରି ବହୁ ନାମୀଦାମୀ ବ୍ୟବସାୟିକ ସଂସ୍ଥାନମାନଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ଏକ ମୋଟା ଅଙ୍କ ଖର୍ଚ୍ଚ କରିଆସୁଛନ୍ତି । ପ୍ରଥମାବସ୍ଥାରେ କେବଳ ବଡ଼ ବଡ଼ ସଂସ୍ଥାନମାନେ ଇଆର୍ପି ବ୍ୟବହାର କରୁଥିଲେ, କିନ୍ତୁ ଏବେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାନ ମଧ୍ୟ ଇଆର୍ପି ସଫ୍ଟୱେର୍ ବ୍ୟବହାର କରିବା ଦେଖାଯାଉଛି ।[3]
ଏକ ଇଆର୍ପି ବ୍ୟବସ୍ଥାଦ୍ୱାରା ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ସୁଚାରୁରୂପେ ଓ ପ୍ରାୟତଃ ନିର୍ଭୁଲ ଭାବେ ସମାହିତ ତଥା ପରିଚାଳିତ ହୋଇପାରୁଥିବାରୁ ସଂସ୍ଥାନର କାର୍ଯ୍ୟକ୍ଷମତା ବା ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧି ଘଟିଥାଏ । ତେବେ ଏକ ଇଆର୍ପି ବ୍ୟବସ୍ଥାର ସ୍ଥାପନା ଓ ବିକାଶ ପାରମ୍ପରିକ ସଫ୍ଟୱେର୍ ବିକାଶ ପ୍ରକ୍ରିୟାଠାରୁ କିଛି ମାତ୍ରାରେ ଭିନ୍ନ ।[4] ଏହି ଇଆର୍ପି ବ୍ୟବସ୍ଥା ଅନେକ ପ୍ରକାରର କମ୍ପ୍ୟୁଟର୍ ହାର୍ଡୱେର୍ ଓ ନେଟ୍ୱର୍କ୍ ବିନ୍ୟାସ ମାଧ୍ୟମରେ କାମ କରିଥାନ୍ତି । ହେଲେ ପ୍ରାୟତଃ ଏମାନେ ବ୍ୟବସାୟିକ ତଥ୍ୟ ସଂଗ୍ରହ କରି ଗୋଟିଏ ମୁଖ୍ୟ ତଥ୍ୟାଗାର ବା ଡେଟାବେସ୍ ମଧ୍ୟରେ ରଖିଥାନ୍ତି ।[5]