ଗଣ୍ଡା
From Wikipedia, the free encyclopedia
ଗଣ୍ଡା (ଈଂରାଜୀରେ Rhinoceros ବା Rhino, ହିନ୍ଦୀରେ गैण्डा) ରାଇନୋସେରୋଟିଡାଏ ପରିବାରର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ତିନୋଟି ଗଣ୍ଡା ଉପପ୍ରଜାତି ଆଫ୍ରିକାର ମୂଳ ନିବାସୀ ହୋଇଥିବା ବେଳେ ତିନୋଟି ଗଣ୍ଡା ଉପପ୍ରଜାତି ଦକ୍ଷିଣ ଏସିଆର ମୂଳ ନିବାସୀ । ଈଂରାଜୀ ଶବ୍ଦ ରାଇନୋସରସ୍ ଏହି ପରିବାରର ଅନ୍ୟ ବିଲୁପ୍ତ ପ୍ରାଣୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଏ ।
ଗଣ୍ଡା ଖଡ୍ଗୀ ଜୀବାଶ୍ମ କାଳ: ଆୟୋସିନ୍ରୁ ବର୍ତ୍ତମାନ | |
---|---|
ସେଣ୍ଟ୍ ଲୁଇ ଚିଡ଼ିଆଘରର ଏକ କଳା ଗଣ୍ଡା (Diceros bicornis) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
Extant genera | |
Ceratotherium | |
ବିଶ୍ୱ ମାନଚିତ୍ରରେ ଗଣ୍ଡାମାନଙ୍କ ଭୌଗୋଳିକ ବ୍ୟାପ୍ତି |
ଓଜନ ଦୃଷ୍ଟିରୁ ଗଣ୍ଡାମାନେ ଏକ ଟନ୍ରୁ ଅଧିକ ଓ ତେଣୁ ବୃହତ୍ ସ୍ଥଳଚର ଜୀବ (ଯଥା – ହାତୀ, ବନ୍ୟ ଗୟଳ) ଶ୍ରେଣୀରେ ପରିଗଣିତ ହୁଅନ୍ତି । ଗଣ୍ଡା ଏକ ତୃଣଭୋଜୀ ଜୀବ । ଗଣ୍ଡାର ବିଶାଳ ଆକାର ତୁଳନାରେ କିନ୍ତୁ ଏହାର ମସ୍ତିଷ୍କ ଅତି ଛୋଟ (ପ୍ରାୟ ୪୦୦-୬୦୦ ଗ୍ରାମ୍) । ଗଣ୍ଡାର ଗୋଟିଏ ବା ଦୁଇଟି ଶିଙ୍ଗ ରହିଥାଏ । ଗଣ୍ଡାର ଚମ ଆବୁଆବୁଆ ଓ ଭାରି ମୋଟା । ଗଣ୍ଡା ମୁଖ୍ୟତଃ ପତ୍ର, ଘାସ ଇତ୍ୟାଦି ଆହରଣ କରେ, ତେବେ ଆବଶ୍ୟକତା ଥିଲେ ଅଧିକ ଗୁରୁ ଓ ଫାଇବର୍ ଯୁକ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରିପାରେ । ଦୁଇ ଆଫ୍ରିକୀୟ ଗଣ୍ଡା ଉପପ୍ରଜାତିଙ୍କ ପାଟିର ଆଗପଟର ଦାନ୍ତ ନଥାଏ, ତେଣୁ ଏମାନେ ପତ୍ର ଇତ୍ୟାଦି ଛିଡ଼ାଇ ଖାଇବା ପାଇଁ ଓଠର ସହାୟତା ନେଇଥାନ୍ତି ।[1]
ଗଣ୍ଡାଶିଙ୍ଗର ବହୁମାତ୍ରାରେ ଚୋରା ବ୍ୟବସାୟ ଚାଲେ ଓ ସେଥିପାଇଁ ଗଣ୍ଡାମାନଙ୍କ ଅବୈଧ ଶିକାର ବହୁଳ ମାତ୍ରାରେ କରାଯାଇଥାଏ । କିଛି ପାରମ୍ପରିକ ଅଳଙ୍କାର ଏବଂ ଔଷଧରେ ମଧ୍ୟ ଗଣ୍ଡା ଶିଙ୍ଗ ବ୍ୟବହାର କରାଯାଇଥାଏ । ପୂର୍ବ ଏସିଆ (ବିଶେଷତଃ ଭିଏତ୍ନାମ) ଗଣ୍ଡା ଶିଙ୍ଗର ବ୍ୟବସାୟ ପାଇଁ ଜଣାଶୁଣା ଓ ସବୁଠାରୁ ବଡ଼ ବ୍ୟବସାୟ କେନ୍ଦ୍ର । କଳା ବଜାରରେ ୧ କିଲୋଗ୍ରାମ୍ ଗଣ୍ଡା ଶିଙ୍ଗର ଦାମ୍ ୧ କିଲୋଗ୍ରାମ୍ ସୁନାର ଦାମ୍ ସହ ସମାନ । ଔଷଧୀୟ ଗୁଣ ରହିଥିବାର ବିଶ୍ୱାସ କରି କିଛି ଲୋକ ଗଣ୍ଡାର ଶିଙ୍ଗକୁ ଗୁଣ୍ଡ କରି ଖାଆନ୍ତି ।[2][3] ଶରୀରର ନଖ ଓ ବାଳ ଗଠନରେ ସାହାଯ୍ୟ କରୁଥିବା କେରାଟିନ୍ ପ୍ରୋଟିନ୍ ଗଣ୍ଡା ଶିଙ୍ଗର ଗଠନରେ ମଧ୍ୟ ସହାୟକ ହୁଏ ।[4] ଉଭୟ ଆଫ୍ରିକୀୟ ଗଣ୍ଡା ଉପ-ପ୍ରଜାତି ଓ ସୁମାତ୍ରୀୟ ଗଣ୍ଡାଙ୍କର ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । କିନ୍ତୁ ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କର ଗୋଟିଏ ଲେଖାଏଁ ଶିଙ୍ଗ ଥାଏ । ଆସାମରେ ଦେଖାଯାଉଥିବା ଭାରତୀୟ ଗଣ୍ଡା (Rhinoceros Unicornis) ପ୍ରଜାତିର ଗଣ୍ଡାମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈର ଶିଙ୍ଗ ରହିଥିବା ବେଳେ ବଙ୍ଗଳାଦେଶ ଓ ସୁନ୍ଦରବନରେ ଦେଖାଯାଉଥିବା ଜାଭା ଗଣ୍ଡା (Rhinoceros Sonadaicus) ପ୍ରଜାତିରେ କେବଳ ଅଣ୍ଡିରାମାନଙ୍କର ଶିଙ୍ଗ ରହିଥାଏ । IUCN ତାଲିକାରେ କଳା ଗଣ୍ଡା, ସୁମାତ୍ରୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କୁ Critically Endangered (CE) ଶ୍ରେଣୀରେ ସ୍ଥାନ ଦିଆଯାଇଛି ।