ହୃତ୍ପିଣ୍ଡ
ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ / From Wikipedia, the free encyclopedia
ହୃତ୍ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ ।[1] ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ (nutrients) ଯୋଗାଏ ତଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । [2] ଛାତିର ମେଡ଼ିଆସ୍ଟାଇନମ୍ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । [3] ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।
ହୃତ୍ପିଣ୍ଡ | |
---|---|
ଛାତିର ମଝି ସ୍ଥାନରେ ହୃତ୍ପିଣ୍ଡ ଅବସ୍ଥିତ । ଏହାର ମାଂସପେଶୀପୁଞ୍ଜ ବାମ ପାଖରେ ଅଧିକ ଥାଏ ଓ ଏହାର ଶିର୍ଷ ସାମାନ୍ୟ ବାମ ପାଖକୁ ଢଳି ରହିଥାଏ । | |
ମାନବ ହୃତ୍ପିଣ୍ଡର ଚିତ୍ର | |
ଲାଟିନ ଭାଷାରେ | କର୍ (cor) |
ବିଭାଗ | ରକ୍ତ ସଞ୍ଚାଳନ |
ଧମନୀ | ଦକ୍ଷିଣ କରୋନାରୀ ଧମନୀ, ବାମ କରୋନାରୀ ଧମନୀ, ସମ୍ମୁଖସ୍ଥିତ ଆନ୍ତଃ ନିଳୟ ଧମନୀ |
ଶିରା | ସୁପିରିଅର୍ ଭେନା କାଭା, ଇନ୍ଫିରିଅର୍ ଭେନା କାଭା, ଦକ୍ଷିଣ ପଲ୍ମୋନାରି ଶିରା, ବାମ ପଲ୍ମୋନାରି ଶିରା |
ସ୍ନାୟୁ | Accelerans nerve, ଭେଗସ୍ ସ୍ନାୟୁ |
MeSH | Heart |
ମାନବ ଓ ଅନ୍ୟାନ୍ୟ ପଶୁ, ପକ୍ଷୀଙ୍କର ହୃତ୍ପିଣ୍ଡ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ: ଉପର ବାମ ଓ ଡାହାଣ ଅଳିନ୍ଦ, ନିମ୍ନ ବାମ ଓ ଡାହାଣ ନିଳୟ । [4][5] ସାଧାରଣତଃ ଡାହାଣ ଅଳିନ୍ଦ ଓ ନିଳୟକୁ ଡାହାଣ ହୃତ୍ପିଣ୍ଡ କୁହାଯାଏ ଓ ବାମ ପାଖରେ ଥିବା ଅଳିନ୍ଦ ଓ ନିଳୟକୁ ବାମ ହୃତ୍ପିଣ୍ଡ କୁହାଯାଏ । [6] ମାଛର ଦୁଇଟି କୋଠରୀ ଥାଏ ଓ ସରୀସୃପଙ୍କର ତିନୋଟି କୋଠରୀ ଥାଏ । [5] ସୁସ୍ଥ ହୃତ୍ପିଣ୍ଡରେ ପ୍ରତି କୋଠରୀର ପ୍ରସ୍ଥାନ ପଥରେ ହୃତ୍ପିଣ୍ଡ କପାଟିକା (heart valve) ଥାଏ, ତେଣୁ ରକ୍ତ ସଞ୍ଚାଳନ ସର୍ବଦା ଏକ ଦିଗରେ ହୁଏ ଓ ପଛୁଆ ରକ୍ତ ପ୍ରବାହ ହୁଏ ନାହିଁ । [3] ହୃତ୍ପିଣ୍ଡଟି ଗୋଟିଏ ସୁରକ୍ଷାକାରୀ ମୁଣା ବା ପେରିକାର୍ଡିଅମ (pericardium) ଭିତରେ ଥାଏ ଓ ସେହି ହୃଦାବରଣର ଦୁଇ ସ୍ତର ମଧ୍ୟରେ ସ୍ୱଳ୍ପ ପରିମାଣର (pericardial fluid)ତରଳ ପଦାର୍ଥ ଥାଏ । ହୃତ୍ପିଣ୍ଡର କାନ୍ଥର ତିନୋଟି ସ୍ତର ଥାଏ; ଏପିକାର୍ଡିଅମ୍, ମାୟୋକାର୍ଡିଅମ ଓ ଏଣ୍ଡୋକାର୍ଡିଅମ । [7]
ହୃତ୍ପିଣ୍ଡ ଦୁଇଟି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରକ୍ତ ପମ୍ପ କରେ । ସ୍ୱଳ୍ପ ଅମ୍ଳଜାନ ଥିବା ରକ୍ତ ଶାରୀରିକ ରକ୍ତ ସଞ୍ଚାଳନ ତନ୍ତ୍ରରୁ ସୁପିରିଅର ଭେନାକାଭା ଓ ଇନ୍ଫିରିଅର୍ ଭେନାକାଭା ମାଧ୍ୟମରେ ଆସି ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ ଓ ସେଠାରୁ ଦକ୍ଷିଣ ନିଳୟରେ ପ୍ରବେଶ କରେ । ଏହା ପରେ ହୃତ୍ପିଣ୍ଡ ରକ୍ତକୁ ଫୁସ୍ଫୁସିୟ ସଞ୍ଚାଳନକୁ ପମ୍ପ କରେ ଯେଉଁଠାରେ ଫୁସ୍ଫୁସ୍ରେ ରକ୍ତ ସହ ଅମ୍ଳଜାନର ମିଶ୍ରଣ ଓ ଅଙ୍ଗାରକାମ୍ଳ ନିଷ୍କାସନ ହୁଏ । ଅମ୍ଳଜାନ ମିଶ୍ରିତ ରକ୍ତ ଫୁସ୍ଫୁସ୍ରୁ ବାମ ଅଳିନ୍ଦ ଓ ତାପରେ ବାମ ନିଳୟକୁ ଯାଇ ସେଠାରୁ ଆଓର୍ଟା ଭିତରକୁ ପମ୍ପ ହୁଏ । ଏହି ରକ୍ତ ଶରୀରର ପ୍ରତ୍ୟେକ ଅଂଶକୁ ଯାଏ, ବିପାକ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବହୃତ ହେଲାପରେ ଅଙ୍ଗାରକାମ୍ଳ ତ୍ୟକ୍ତ ହୁଏ । [8] ସାଧାରଣତଃ ପ୍ରତି ହୃତ୍ସ୍ପନ୍ଦନରେ ଯେତିକି ରକ୍ତ ଫୁସ୍ଫୁସ୍ ଭିତରକୁ ଛଡ଼ାଯାଇଥାଏ ସେତିକି ରକ୍ତ ବାମ ନିଳୟ ଶରୀର ମଧ୍ୟକୁ ଛାଡ଼େ । ଅମ୍ଳଜାନବର୍ଜିତ ରକ୍ତ ହୃତ୍ପିଣ୍ଡ ଭିତରକୁ ଶିରା ଆଣେ ଓ ଅମ୍ଳଜାନ ମିଶ୍ରିତ ରକ୍ତ ଶରୀର ମଧ୍ୟକୁ ଧମନୀ ଛାଡ଼େ । ଶିରା ଅପେକ୍ଷା ଧମନୀରେ ରକ୍ତଚାପ ଅଧିକ ଥାଏ । [9][3] ବିଶ୍ରାମ ସମୟରେ ପ୍ରତି ମିନିଟ ପିଛା ହୃତ୍ପିଣ୍ଡର ସଙ୍କୋଚନ ୭୨ଥର ହୁଏ । [10] ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ । [11]
ସନ ୨୦୦୮ରେ ସାରା ପୃଥି୍ବୀରେ ହୃତ୍ପିଣ୍ଡରକ୍ତନଳୀ ରୋଗ ମୃତ୍ୟୁର ଏକ ସାଧାରଣ କାରଣ ଓ ୩୦% ଥିଲା,[12][13] ଏଥିରୁ ଦୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗ ଓ ଷ୍ଟ୍ରୋକ ଥିଲା ।[12] ଧୁମ୍ରପାନ, ଅତ୍ୟଧିକ ଓଜନ ବୃଦ୍ଧି, କମ୍ ବ୍ୟାୟାମ, ଅଧିକ କୋଲେଷ୍ଟେରଲ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ଅପଚିକିତ୍ସା ଏହି ରୋଗ ସଙ୍କଟସୃଷ୍ଟିକାରୀ ଅଟନ୍ତି । [14] ଛାତିରେ ସ୍ଟେଥୋସ୍କୋପ୍ ଥୋଇ ହୃତ୍ପିଣ୍ଡ-ଶବ୍ଦ ଶୁଣି, ଇସିଜି କରି ରୋଗ ନିର୍ଣ୍ଣୟ କରାଯାଏ । [3] ହୃଦ୍ରୋଗକୁ ଚିକିତ୍ସା କରୁଥିବା ବିଶେଷଜ୍ଞମାନଙ୍କୁ କାର୍ଡ଼ିଓଲୋଜିସ୍ଟ କହନ୍ତି ଯଦିଓ ଏ ଧରଣର ରୋଗୀଙ୍କୁ ଚିକିତ୍ସା କରିବାରେ ଯଦିଓ ଅନେକ ସ୍ପେସିଆଲିଷ୍ଟଙ୍କ ଭୂମିକା ଥାଏ ।[13]