ଆନ୍ତ୍ରିକ ଅବରୋଧ
From Wikipedia, the free encyclopedia
ଆନ୍ତ୍ରିକ ଅବରୋଧ ବା ଇଣ୍ଟେସ୍ଟାଇନାଲ ଅବସ୍ଟ୍ରକସନ (ଇଂରାଜୀ ଭାଷାରେ Bowel obstruction) ଏକ ଏଭଳି ରୋଗ ଯେଉଁଥିରେ ଅନ୍ତନଳୀର ଯାନ୍ତ୍ରିକ ବା କ୍ରିୟାତ୍ମକ ଅବରୋଧ ହୋଇ ହଜମ ପ୍ରକ୍ରିୟାରେ ଥିବା ଖାଦ୍ୟ ଆଗକୁ ଯାଇପାରେ ନାହିଁ ।[1][2] ଏହାଦ୍ୱାରା କ୍ଷୁଦ୍ରାନ୍ତ୍ର ବା ବୃହଦନ୍ତ୍ର ପ୍ରଭାବିତ ହୋଇପାରେ ।[3] ଏହି ରୋଗରେ ଉଦର ଯନ୍ତ୍ରଣା (abdominal pain) ଓ ବାନ୍ତି (vomiting) ହୁଏ, ଉଦର ଫୁଲିଯାଏ (bloating) ଓ ବାୟୁ ଯିବା ବନ୍ଦ ହୋଇଯାଏ ।[3] ହଠାତ ସାଂଘାତିକ ଉଦର ଯନ୍ତ୍ରଣାର (severe abdominal pain of sudden onset) କାରଣ ମଧ୍ୟରୁ ୫ରୁ ୧୫% କେବଳ ଆନ୍ତ୍ରିକ ଅବରୋଧ ଯୋଗୁ ହୁଏ ଯାହା ଯୋଗୁ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ ।[3][1]
ଅନ୍ତ୍ରାବରୋଧ | |
---|---|
intestinal obstruction | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | General surgery |
ଆଇସିଡ଼ି-୧୦ | K56. |
ଆଇସିଡ଼ି-୯-ସିଏମ୍ | 560 |
ରୋଗ ଡାଟାବେସ | 15838 |
ମେଡ଼ିସିନ-ପ୍ଲସ | 000260 |
MeSH | D007415 |
ଆନ୍ତ୍ରିକ ଅବରୋଧର କାରଣ: ଅନ୍ତନଳୀ ସଂଲଗ୍ନତା (adhesions), ହାର୍ନିଆ, ଭଲଭ୍ୟୁଲସ,ଏଣ୍ଡୋମେଟ୍ରିଓସିସ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ଆପେଣ୍ଡିସାଇଟିସ, ଅର୍ବୁଦ (tumor), ଡାଇଭର୍ଟିକୁଲାଇଟିସ (diverticulitis), ଇସକେମିକ ବାୱେଲ (ischemic bowel), ଯକ୍ଷ୍ମା, ଓ ଇଣ୍ଟସସେପସନ (intussusception).[3][1] ଅଧିକାଂଶ ସମୟରେ ସଂଲଗ୍ନତା ଓ ହାର୍ନିଆ ଯୋଗୁ କ୍ଷୁଦ୍ରାନ୍ତ୍ର ଅବରୋଧ ହୁଏ ଓ ଅର୍ବୁଦ ତଥା ଭଲଭ୍ୟୁଲସ ଯୋଗୁ ବୃହଦନ୍ତ୍ର ଅବରୋଧ ହୁଏ ।[3][1] ପ୍ଲେନ ଏକ୍ସ-ରେ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଇପାରେ, କିନ୍ତୁ ସିଟି ସ୍କାନ ଅଧିକ ନିର୍ଭର ଯୋଗ୍ୟ ।[3] ଗର୍ଭାବସ୍ଥା ଓ ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (Ultrasound) ବା ଏମଆରଆଇ (MRI) ଅଧିକ ଉପଦେୟ । [3]
ଗତାନୁଗତିକ (conservatively) ଭାବରେ ବା ଅପରେଶନ (surgery) କରି ଆନ୍ତ୍ରିକ ଅବରୋଧ ରୋଗର ଚିକିତ୍ସା କରାଯାଏ ।[1] ସ୍ୱାଭାବିକ ଭାବରେ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ, ଗୋଟିଏ ନାସାଜଠର ନଳୀ (nasogastric tube) ନାକ ବାଟେ ପାକସ୍ଥଳୀ ଭିତରକୁ ଭର୍ତ୍ତି କରିଦେଇ ଖାଦ୍ୟନଳି ଫାଙ୍କା ରଖାଯାଏ ଓ ଯନ୍ତ୍ରଣା ନିବାରକ ଔଷଧ (pain medications ଦିଆଯାଏ ।[1] ଏହି ରୋଗରେ ଅଧିକାଂଶ ସମୟରେ ଆଣ୍ଟିବାୟୋଟିକ (Antibiotic) ଦିଆଯାଏ । [1] କ୍ଷୁଦ୍ରାନ୍ତ୍ର ଅବରୋଧରେ ପ୍ରାୟ ୨୫% ରୋଗୀଙ୍କର ଅପରେଶନ ଆବଶ୍ୟକ ହୁଏ ।[4] ରୋଗ ଜଟିଳ ହେଲେ ପୂଜ ସୃଷ୍ଟି (sepsis), ଖାଦ୍ୟନଳୀ ଅଳ୍ପରକ୍ତତା (bowel ischemia), ଓ ଜଠରାନ୍ତ୍ର ଛିଦ୍ର (bowel perforation) ହୋଇପାରେ ।[3]
ସନ ୨୦୧୩ର ଆକଳନ ଅନୁସାରେ ସେହି ବର୍ଷ ପ୍ରାୟ ୨.୫ ନିୟୁତ ଆନ୍ତ୍ରିକ ଅବରୋଧ ରୋଗୀ ମଧ୍ୟରୁ ୨୩୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । [5][6] ଏହି ରୋଗ ଯେ କୌଣସି ବୟସରେ ହୋଇପାରେ ଓ ପୁରୁଷ ତଥା ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[4] ହିପୋକ୍ରେଟଙ୍କଦ୍ୱାରା ଓ ଖ୍ରୀ:ପୂ: ୧୫୫୦ରେ ଏବରସ ପାପିରସରେ (Ebers Papyrus) ମଧ୍ୟ ଏହି ରୋଗ ବିଷୟରେ ଲିଖିତ ଥିବା ସହ ସମୁଦାୟ ଇତିହାସରେ ଲିପିବଦ୍ଧ ହୋଇଛି ।[7]