ଚନ୍ଦନ ବୋଡ଼ା
ବୋଡ଼ା ପରିବାରର ଏକ ବିଷାକ୍ତ ସାପ / From Wikipedia, the free encyclopedia
ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ ।[1] ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନ ଓ ତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି ।[2] ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି ।[3] ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” ।[4] ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper) ।[5][6] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ ।[7] ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।[8]
ଚନ୍ଦନ ବୋଡ଼ା ମହାମଣ୍ଡଳ ଚନ୍ଦ୍ର ବୋଡ଼ା | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Viperidae |
Genus: | Daboia |
ଜାତି: | D. russelii |
ବାଇନୋମିଆଲ ନାମ | |
Daboia russelii (ଜର୍ଜ୍ ଶ ଓ ଫ୍ରେଡେରିକ୍ ପଲିଡୋର୍ ନୋଡ୍ଡର୍, ୧୭୯୭) | |
ଚନ୍ଦନ ବୋଡ଼ା ସାପର ଭୌଗୋଳିକ ବ୍ୟାପ୍ତି | |
Synonyms | |
Vipera russelii, Daboia russelii, Vipera daboya |