ପୋତାଗଡ଼
ଓଡ଼ିଶାର ଦୁର୍ଗ / From Wikipedia, the free encyclopedia
ପୋତାଗଡ଼ ଓଡ଼ିଶାରେ ଥିବା ଏକ ଦୁର୍ଗ, ଯାହା ଗଞ୍ଜାମ ଗଡ଼ ନାମରେ ମଧ୍ୟ ପରିଚିତ । ଏହା ଏକ ଦୁର୍ଗ ନୁହେଁ ବରଂ ବିଭିନ୍ନ ସମୟରେ ନିର୍ମିତ ଅନେକ ଦୁର୍ଗର ମିଶ୍ରଣ । ଦୁର୍ଗର ଦୈର୍ଘ୍ୟ ପ୍ରାୟ ୯୨ ମିଟର୍, ପ୍ରସ୍ଥ ୧୯ ମିଟର୍ ଓ ଉଚ୍ଚତା ପ୍ରାୟ ୧୫ ମିଟର୍ । ଦୁର୍ଗଟି ଭୂମିତଳେ ନିର୍ମିତ ହୋଇଥିଲା ଓ ଦୂରରୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ।[1] ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ପ୍ରାୟ ୮ କି.ମି. ଦୂରରେ ଗଞ୍ଜାମ ସହର ନିକଟରେ ଏହି ଦୁର୍ଗର ଅବସ୍ଥିତି । ବ୍ରିଟିଶ୍ ଶାସନାଧୀନ ଭାରତରେ ପୋତାଗଡ଼ ଦୁର୍ଗକୁ ଗଞ୍ଜାମର ପ୍ରଥମ ପ୍ରଶାସନିକ କେନ୍ଦ୍ର ବା କାର୍ଯ୍ୟାଳୟ କହିପାରିବା । ପରବର୍ତ୍ତୀ କାଳରେ ୧୮୧୫ ମସିହାରେ ପ୍ରଶାସନିକ କାର୍ଯ୍ୟାଳୟ ବ୍ରହ୍ମପୁରକୁ ଓ ୧୮୩୫ ମସିହାରେ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତରିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ଏବେ ଛତ୍ରପୁରରେ ଅବସ୍ଥିତ ।
ପୋତାଗଡ଼଼ | |
---|---|
ଗଞ୍ଜାମ, ଓଡ଼ିଶା, ଭାରତ | |
Coordinates | 19.379265°N 85.0564424°E / 19.379265; 85.0564424 |
Type | ଦୁର୍ଗ |
Site information | |
Open to the public | ହଁ |
ବର୍ତ୍ତମାନ ସମୟରେ ଭଗ୍ନାବଶେଷରେ ପରିଣତ ହୋଇଯାଇଥିବା ପୋତାଗଡ଼ ବିଗତ ସମୟର ଶାସକ ଓ ସେମାନଙ୍କ ପ୍ରଶାସନିକ କାର୍ଯ୍ୟକଳାପର ମୁକସାକ୍ଷୀ । ପୋତାଗଡ଼ ବିଭିନ୍ନ ସମୟରେ କଳିଙ୍ଗ, ଦଣ୍ଡପାଟ, ଗଞ୍ଜାମ, ଶ୍ରୀକାକୁଲମ୍ ସରକାର ଇତ୍ୟାଦି ବିଭିନ୍ନ ରାଜ୍ୟ ବା ସାମ୍ରାଜ୍ୟର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରହିଆସିଛି । ପୋତାଗଡ଼ର ଇତିହାସରୁ ପୂର୍ବ ଭାରତରେ ଗଞ୍ଜାମ, ଉତ୍ତରୀୟ ପ୍ରଗଣା, ଫରାସୀ ଶାସନ, ମାନ୍ଦ୍ରାଜ୍ ରାଜ୍ୟ, ବଙ୍ଗଳା ରାଜ୍ୟ ଓ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ଇତିହାସ ବିଷୟରେ କିଛି ମାତ୍ରାରେ ଜାଣିହେବ ।
ପୋତାଗଡ଼ ସମ୍ବନ୍ଧରେ ଅନେକ ଲୋକକଥା ଶୁଣିବାକୁ ମିଳେ । ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ କୋପରେ ପାର୍ଶ୍ୱବର୍ତ୍ତୀ ଗଞ୍ଜା (ଆଧୁନିକ ଗଞ୍ଜାମ ସହର) ନଷ୍ଟ ହୋଇଯିବା, ଆକ୍ରମଣ ସମୟରେ ପୋତାଗଡ଼ର ଗୁପ୍ତ ସୁଡଙ୍ଗ ଦେଇ ରାଜା ଦୁର୍ଗ ପରିତ୍ୟାଗ କରିବା ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରିବା ଇତ୍ୟାଦି ସବୁ ଲୋକକଥାରେ ପୋତାଗଡ଼ର ଉଲ୍ଲେଖ ରହିଛି ।[2]
ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ପୋତାଗଡ଼କୁ ପୋତାଧନ କୁହାଯାଇପାରେ । ତେଣୁ ଏହାର ସଂରକ୍ଷଣ ପାଇଁ ଅନେକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ସମୟ ଧରି ଅବହେଳିତ ଏହି ଦୁର୍ଗ ୨୦୧୨ ମସିହା ପରଠାରୁ କିଛି ମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।