ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ
From Wikipedia, the free encyclopedia
ବିଦ୍ୟୁତ୍-ଚୁମ୍ବକତ୍ୱ ବା ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଭୌତିକ ବିଜ୍ଞାନର ଏକ ପ୍ରମୁଖ ଶାଖା । ବିଦ୍ୟୁତ୍-ଚୁମ୍ବକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି । ବୈଦ୍ୟୁତିକ ଚାର୍ଜ୍ ବହନ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବଳ ସୃଷ୍ଟି ହୁଏ, ତାହାକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ ବୋଲି କୁହାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳ, ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର (ବୈଦ୍ୟୁତିକ କ୍ଷେତ୍ର, ଚୁମ୍ବକୀୟ କ୍ଷେତ୍ର, ଆଲୋକ) ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଆଧୁନିକ ଭୌତିକ ବିଜ୍ଞାନରେ ବିଦ୍ୟୁତ୍-ଚୁମ୍ବକୀୟ ବଳକୁ ପାରମାଣବିକ ବସ୍ତୁ (ଈଂରାଜୀରେ Atomic Particles)ଙ୍କ ମଧ୍ୟରେ ଥିବା ଏକ ମୌଳିକ ପାରସ୍ପରିକ ବଳ ଭାବେ ଗଣନା କରାଯାଏ । ସାଧାରଣତଃ ପାରମାଣବିକ ବସ୍ତୁମାନଙ୍କ ମଧ୍ୟରେ ଥିବା ୪ଟି ମୌଳିକ ପାରସ୍ପରିକ ବଳ ହେଲା: ଶକ୍ତିଶାଳୀ ବଳ (ଈଂରାଜୀରେ Strong Force), ଶକ୍ତିହୀନ ବଳ (ଈଂରାଜୀରେ Weak Force), ମହାକର୍ଷଣୀୟ (ଈଂରାଜୀରେ Gravitational) ଏବଂ ବିଦ୍ୟୁତ୍-ଚୁମ୍ବକତ୍ୱ (ଈଂରାଜୀରେ Electro-Magnetic) । [1]ବିଦ୍ୟୁତ୍-ଚୁମ୍ବକତ୍ୱକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ (ଲୋରେଞ୍ଜ୍ ବଳ)ର ପ୍ରଭାବଦ୍ୱାରା ପରିପ୍ରକାଶ କରାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳରେ ବୈଦ୍ୟୁତିକ ବଳ ଓ ଚୁମ୍ବକତ୍ୱ ସମାହିତ ।
ପାରମ୍ପରିକ ଭୌତିକ ବିଜ୍ଞାନର ଅନୁସାରେ ବିଦ୍ୟୁତ୍ ଚାର୍ଜ୍ ଓ ବିଦ୍ୟୁତ୍ ବିଭବ ଯୋଗୁଁ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୋଇଥାଏ । ମାଇକେଲ୍ ଫାରାଡ଼େଙ୍କ ନିୟମାନୁସାରେ ଚୁମ୍ବକୀୟ କ୍ଷେତ୍ର, ବିଦ୍ୟୁତ୍-ଚୁମ୍ବକୀୟ ଉପପାଦନ (ଈଂରାଜୀରେ Electromagnetic Induction) ଓ ଚୁମ୍ବକତ୍ୱ ସହିତ ସମ୍ପୃକ୍ତ । ବୈଦ୍ୟୁତିକ କ୍ଷେତ୍ରରେ ଚାର୍ଜ୍ ଓ ପ୍ରବାହ, ଚୁମ୍ବକୀୟ କ୍ଷେତ୍ର ପରସ୍ପରକୁ କିପରି ଭାବେ ପ୍ରଭାବିତ କରନ୍ତି ମାକ୍ସୱେଲଙ୍କ ସମୀକରଣରେ ଦର୍ଶିତ ହୋଇଛି । ବିଦ୍ୟୁତ୍-ଚୁମ୍ବକତ୍ୱର ପରୀକ୍ଷଣଦ୍ୱାରା ଶୂନ୍ୟରେ ଆଲୋକର ବେଗ ନିରୂପିତ ହୋଇପାରିଲା ଓ ଏହା ଆଇନଷ୍ଟାଇନଙ୍କ ବିଶେଷ ଆପେକ୍ଷିକ ତତ୍ତ୍ୱର ଭିତ୍ତିଭୂମି ।