ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି
From Wikipedia, the free encyclopedia
ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି (ଈଂରାଜୀରେ “କ୍ରାଇଷ୍ଟ୍ ଦ ରିଡିମର୍” - Christ the Redeemer ଓ ପର୍ତ୍ତୁଗୀଜରେ Cristo Redentor) ବ୍ରାଜିଲ ଦେଶର ରିଓ ଡି ଜେନିରୋ ସହରରେ ପ୍ରତିଷ୍ଠିତ ଯୀଶୁଖ୍ରୀଷ୍ଟଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି । ବ୍ରାଜିଲରେ କଥିତ ପର୍ତ୍ତୁଗୀଜ ଭାଷାଭାଷୀ ଲୋକେ ଏହାକୁ kɾistu ʁedẽˈtoʁ ଓ ସ୍ଥାନୀୟ ଭାଷାରେ ଏହି ମୂର୍ତ୍ତିକୁ kɾiɕtŭ̻ xe̞dẽ̞ˈtoɦ ବୋଲି ମଧ୍ୟ କୁହାଯାଏ । ଏହି ମୂର୍ତ୍ତିଟି ଫରାସୀ କଳାଶୈଳୀ ଆର୍ଟ୍ ଡେକୋର ଏକ ଉଦାହରଣ । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ବ୍ରାଜିଲର ଯନ୍ତ୍ରୀ ହାଇଟର୍ ଡା ସିଲ୍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ କରାଯାଇଥିଲା । ଫରାସୀ ପ୍ରସ୍ତରଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ଅଧିକାଂଶ ଭାଗ ଗଢ଼ିଥିବା ବେଳେ ରୋମାନୀୟ ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡା ମୂର୍ତ୍ତିର ମୁଖ ଗଢ଼ିଥିଲେ । ୧୯୨୨ ମସିହାରୁ ୧୯୩୧ ମଧ୍ୟରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍) ହୋଇଥିବା ବେଳେ ମୂର୍ତ୍ତିତଳ ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) । ମୂର୍ତ୍ତିରେ ଯୀଶୁଖ୍ରୀଷ୍ଟଙ୍କ ଦୁଇ ବାହୁ ପ୍ରସାରିତ ହୋଇ ରହିଛନ୍ତି ଯାହାର ଦୈର୍ଘ୍ୟ ୨୮ ମିଟର୍ (୯୨ ଫୁଟ୍) ।[1][2] ବବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।
ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି Christ the Redeemer | |
---|---|
ଦିଗବାରେଣୀ | 22°57′7″S 43°12′38″W |
ଅବସ୍ଥିତି | କୋର୍କୋଭାଡୋ ପର୍ବତ, ରିଓ ଡି ଜେନିରୋ, ବ୍ରାଜିଲ |
ବିନ୍ଧାଣି | ଫରାସୀ ଶିଳ୍ପୀ ପଲ୍ ଲାନ୍ଦୋସ୍କିଙ୍କଦ୍ୱାରା ମୂର୍ତ୍ତିର ଶରୀର ଖୋଦିତ, ବ୍ରାଜିଲ୍ର ଯନ୍ତ୍ରୀ ହେଇଟର୍ ଡା ସିଲ୍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏବଂ ରୋମାନିଆର ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କଦ୍ୱାରା ମୂର୍ତ୍ତିର ମୁଖ ଖୋଦିତ |
ଉପାଦାନ | ଖଡ଼ିପଥର |
ଉଚ୍ଚତା | କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍), ମୂର୍ତ୍ତିତଳର ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) |
ସମ୍ପୂର୍ଣ୍ନ କାଳ | ୧୯୩୧ ମସିହା ଅକ୍ଟୋବର୍ ୧୨ (ଉଦ୍ଘାଟିତ) |
୧୨-ଅକ୍ଟୋବର୍-୨୦୦୬ ତାରିଖରେ ପ୍ରତିଷ୍ଠିତ ୭-ଜୁଲାଇ-୨୦୦୭ରେ ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ଅନ୍ତର୍ଭୁକ୍ତ |
ମୂର୍ତ୍ତିର ଓଜନ ୬୩୫ ମେଟ୍ରିକ୍ ଟନ୍ । ଏହି ବିଶାଳ ମୂର୍ତ୍ତିକୁ କୋର୍କୋଭାଡୋ ପର୍ବତର ସର୍ବୋଚ୍ଚ ଅଂଶରେ ନିର୍ମାଣ କରାଯାଇଛି । କୋର୍କୋଭାଡୋ ପର୍ବତ ତିୟୁକା ବନ ଜାତୀୟ ଉଦ୍ୟାନ ମଧ୍ୟରେ ରିଓ ଡି ଜେନିରୋ ନଗର ପାର୍ଶ୍ୱରେ ଅବସ୍ଥିତ । ଖ୍ରୀଷ୍ଟଧର୍ମର ପ୍ରତୀକ ଏହି ମୂର୍ତ୍ତି ରିଓ ଡି ଜେନିରୋ ତଥା ବ୍ରାଜିଲର ସାଂସ୍କୃତିକ ଚିହ୍ନ ପାଲଟି ଯାଇଛି ଏବଂ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି ।[3] ଏହି ପ୍ରତିମୂର୍ତ୍ତିଟି କଂକ୍ରିଟ୍ ଓ ଖଡ଼ିପଥରରେ ନିର୍ମିତ ।[4][5][6]