From Wikipedia, the free encyclopedia
ରାଣୀ ମୁଖାର୍ଜୀ (ଜନ୍ମ: ୨୧ ମାର୍ଚ୍ଚ ୧୯୭୮[1]); ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ପୁରସ୍କାର ଉତ୍ସବରେ ମନୋନୀତ ହୋଇଛନ୍ତି ଏବଂ ବିଜୟୀ ହୋଇଛନ୍ତି । ଏହି ମନୋନୟମ ଏବଂ ବିଜୟ ମଧ୍ୟରେ ସେ ସାତଥର ଫିଲ୍ମଫେୟାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଅଭିନୟର ଢଙ୍ଗ ପାରମ୍ପାରିକ ହିନ୍ଦୀ କଥାଚିତ୍ରର ମହିଳାମାନଙ୍କ ପରି ।
ରାଣୀ ଦଶମ ଶ୍ରେଣୀରେ ପଢ଼ିଲାବେଳେ ଓଡ଼ିଶୀ ନୃତ୍ୟ ଶିଖିଥିଲେ ।[2] ଯଦିଓ ରାଣୀଙ୍କର ପରିବାର ହିନ୍ଦୀ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ,[3][4] କିନ୍ତୁ ସେ ଆରମ୍ଭରୁ ଚଳଚ୍ଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାକୁ ମନ ବଳାଇନଥିଲେ ।[5] ମାତ୍ର ପରେ ୧୯୯୬ ମସିହାରେ ସେ ଯେତେବେଳେ କିଶୋରୀ ଥିଲେ, ସେତେବେଳେ ତାଙ୍କର ବାପାଙ୍କର ଗୋଟିର ବଙ୍ଗାଳୀ ଚଳଚ୍ଚିତ୍ର ବିୟେର୍ ଫୁଲ୍ରେ ଏକ ଚରିତ୍ର ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।[6] ଏବଂ ପରେ ୧୯୯୭ ମସିହାରେ ରାଜା କି ଆୟେଗି ବରାତ୍ରେ ସେ ମୁଖ୍ଯ ନାୟିକା ଭାବରେ ଅଭିନୟ କରିବାକୁ ରାଜି ହୋଇଥିଲେ ।[7] ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ମାଆ ତାଙ୍କୁ ବାଧ୍ୟ କରାଇଥିଲେ । ରାଣୀ ଅଭିନୟ ଆରମ୍ଭ କରିବା ଆଗରୁ ପ୍ରଥମେ ପ୍ରଶିକ୍ଷଣ ନେଇଥିଲେ ।[8] ଏହାପରେ ସେ ଚଳଚ୍ଚିତ୍ର ଜଗତରେ ଜଣେ ପେଶାଦାର ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୯୮ର ହିନ୍ଦୀ କଥାଚିତ୍ର କୁଛ୍ କୁଛ୍ ହୋତା ହୈରେ ସେ ସହ-ନାୟିକା ଭାବରେ ଅଭିନୟ କରିଥିଲେ[9] ଏବଂ ଏହି କଥାଚିତ୍ରଟିରେ ତାଙ୍କୁ ଅନେକ ସଫଳତା ମିଳିଥିଲା ।[10][11] ଆରମ୍ଭରୁ ଭଲ ସଫଳତା ମିଳିଥିଲେ ମଧ୍ୟ ପରବର୍ତ୍ତୀ ତିନିବର୍ଷ ରାଣୀଙ୍କର ଚଳଚ୍ଚିତ୍ରଗୁଡ଼ିକ ସେତେଟା ସଫଳତା ପାଇପାରିନଥିଲା । ୨୦୦୨ରେ ୟଶ୍ରାଜ୍ ଫିଲ୍ମସ୍ର ଚଳଚ୍ଚିତ୍ର ସାଥିୟାରେ ରାଣୀକୁ ବହୁତ ଭଲ ସଫଳାତା ମିଳିଥିଲା ।[12]
୨୦୦୪ ମସିହା ସୁଦ୍ଧା ରାଣୀ ଜଣେ ସଫଳ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ସ୍ଥାନ ପକ୍କା କରିସାରିଥିଲେ । ସେତେବେଳକୁ ସେ ହମ୍ ତୁମ୍[13], ଯୁବା[14], ବୀର୍-ଜାରା[15] ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିଲେ । ୨୦୦୫ର ରାଣୀଙ୍କର ଚଳଚ୍ଚିତ୍ର ବ୍ଲାକ୍[16] ଏବଂ ୨୦୦୬ରେ କଭି ଅଲ୍ବିଦା ନା କେହେନା[17][18] ବହୁତ ସଫଳତା ପାଇଥିଲା । ବ୍ଲାକ୍ରେ ସେ ଜଣେ ଅନ୍ଧ, ମୁକ ଏବଂ ବଧିର ନାରୀ ଭୂମିକାରେ ଅଭିନୟ କରିଥିଲେ ।[19] ଏହାପରେ ସେ ୟଶ୍ରାଜ ଫିଲ୍ମସ୍ର ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ, ମାତ୍ର ସେତେଟା ସଫଳ ହୋଇପାରିଥିଲେ । ଏମିତିକି ସେ ଗୋଟିଏ ପ୍ରଡକ୍ସନ ଏବଂ ସମାନ ଧରଣର ଅଭିନେତାଙ୍କ ସହ କାମ କରି ସମାଲୋଚିତ ହୋଇଥିଲେ । ଚାରିବର୍ଷ ପରେ ୨୦୧୧ରେ ରାଣୀଙ୍କ ଅଭିନୀତ ଚଳଚ୍ଚିତ୍ର ନୋ ୱାନ୍ କିଲ୍ଡ୍ ଜେସିକା ସଫଳ ହେବା ସହ ଭଲ ବ୍ୟବସାୟ କରିଥିଲା ।[20] ପରେ ୨୦୧୪ରେ ସେ ଅମୀର ଖାନ୍ଙ୍କ ଚଳଚ୍ଚିତ୍ର ତଲାସ୍ରେ ଅଭିନୟ କରିଥିଲେ ।[21] ଏହାପରେ ୨୦୧୪ରେ ମର୍ଦ୍ଦାନୀ[22] ଏବଂ ୨୦୧୮ରେ ହିଚ୍କି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[23]
ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ରାଣୀ ଅନେକ ସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ସେ ମହିଳା ଏବଂ ଶିଶୁ ବିକାଶ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ।[24] ଏହାସହ ସେ ଅନେକ ମଞ୍ଚ ତଥା ବାହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ୨୦୦୯ରେ ସେ ଡ୍ୟାନ୍ସ ପ୍ରିମିୟର୍ ଲିଗ୍ ନାମକ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[25] ରାଣୀ ୨୦୧୪ରେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ ।[26] ଆଦିତ୍ୟ ଏବଂ ରାଣୀଙ୍କର ଗୋଟିଏ ଝିଅ ଅଛି ।[27]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.