ସିଓଲ
ଦକ୍ଷିଣ କୋରିଆର ରାଜଧାନୀ / From Wikipedia, the free encyclopedia
ସିଓଲ୍ (କୋରିଆନ୍ ଉଚ୍ଚାରଣ: 서울 [sʌ.ul] ସଉଲ୍) ହେଉଛି ଦକ୍ଷିଣ କୋରିଆର ରାଜଧାନୀ । ୯.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ମହାନଗର ଦେଶର ଉତ୍ତର-ପଶ୍ଚିମ ଦିଗରେ ହାନ-ଗାଙ୍ଗ ନଦୀକୂଳରେ ଅବସ୍ଥିତ ।[1] ଏକ ବିଶ୍ୱ ସ୍ତରୀୟ ସହର ଭାବରେ ପରିଗଣିତ ହୋଇଥିବା ସିଓଲ୍ ଟୋକିଓ, ନ୍ୟୁୟର୍କ ସିଟି ଏବଂ ଲସ୍ ଆଞ୍ଜେଲସ୍ ପରେ ୨୦୧୪ରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ମହାନଗର । ୨୦୧୭ ସୁଦ୍ଧା, ସିଓଲରେ ଜୀବନଯାପନର ଖର୍ଚ୍ଚ ମାପକରେ ବିଶ୍ୱ ସ୍ତରରେ ଏହାର ସ୍ଥାନ ରହିଥିଲା ଷଷ୍ଠ ।
ଦେଶର ପ୍ରମୁଖ ବୈଷୟିକ ପେଣ୍ଠସ୍ଥଳୀଭାବେ ପରିଗଣିତ ଏହି ମହାନଗରର ସିଓଲ୍ କ୍ୟାପିଟାଲ୍ ଏରିଆରେ ସାମସଙ୍ଗ, ଏଲ.ଜି (LG), ଏବଂ ହୁଣ୍ଡାଇ ସମେତ ୧୪ ଗୋଟି ଫର୍ଚ୍ୟୁନ୍ ଗ୍ଲୋବାଲ୍-୫୦୦ କମ୍ପାନୀର ମୁଖ୍ୟାଳୟ ରହିଛି । ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜକ ଭାବେ ପାଞ୍ଚଟି ଅଗ୍ରଣୀ ମହାନଗର ମଧ୍ୟରୁ ଗୋଟିଏ ହୋଇଥିବାରୁ ବିଶ୍ୱ ବ୍ୟାପାରରେ ଏହାର ପ୍ରମୁଖ ପ୍ରଭାବ ପକାଇପାରିଛି [2]। ସିଓଲ୍, ୧୯୮୬ ଏସିଆନ୍ ଗେମ୍ସ, ୧୯୮୮ ଗ୍ରୀଷ୍ମ ଅଲିମ୍ପିକ୍ସ, ୨୦୦୨ ଫିଫା ବିଶ୍ୱକପ୍ (ଜାପାନ ସହିତ) ଏବଂ ୨୦୧୦ ଜି -୨୦ ସିଓଲ୍ ଶିଖର ସମ୍ମିଳନୀ ଆୟୋଜନ କରିଛି ।
ଏକ ସଂକ୍ଷିପ୍ତ କାଳ(୧୩୯୯–୧୪୦୫), ବ୍ୟତିରେକ ସିଓଲ୍ ୧୩୯୪ରୁ ୧୯୪୮ ମସିହାରେ ଦେଶର ଆନୁଷ୍ଠାନିକ ବିଭାଜନ ପର୍ଯ୍ୟନ୍ତ କୋରିଆର ରାଜଧାନୀ ଥିଲା । ହାନ ନଦୀ କୂଳରେ ଅବସ୍ଥିତ, ସିଓଲର ଇତିହାସ ଦୁଇ ହଜାର ବର୍ଷରୁ ଅଧିକ ସମୟ ବ୍ୟାପ୍ତ, ଯେତେବେଳେ ଏହା ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରେ କୋରିଆର ତିନୋଟି ରାଜ୍ୟ ମଧ୍ୟରୁ ବାକେଜେର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ସହରଟି ଜୋସନ୍ ରାଜବଂଶ ଅଧୀନରେ କୋରିଆର ରାଜଧାନୀ ଭାବରେ ମାନ୍ୟତା ପ୍ରାପ୍ତ ହେଲା । ସହରର ଉତ୍ତର ସୀମା ବୁଖାନ୍ ପର୍ବତଦ୍ୱାରା ଘେରି ରହିଛି । ଏହାର ଦୀର୍ଘ ଇତିହାସ ପରି, ସିଓଲ୍ କ୍ୟାପିଟାଲ୍ ଏରିଆରେ ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ରହିଛି: ଚାଙ୍ଗଡେକ୍ ପ୍ୟାଲେସ୍, ହ୍ୱାସଙ୍ଗ ଦୁର୍ଗ, ଜୋଙ୍ଗମିଓ ପୁଣ୍ୟକ୍ଷେତ୍ର, ନାମହାନସେଙ୍ଗ ଏବଂ ଜୋସନ୍ ରାଜବଂଶର ରାଜକୀୟ ସମାଧୀ ।[3] ୨୦୧୪ ମସିହାରେ ସିଓଲକୁ ୧୦ ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ପରିଦର୍ଶକ ଆସିଥିଲେ । ଏହା ବିଶ୍ୱର ନବମ ସର୍ବାଧିକ ପରିଦର୍ଶିତ ସହର ତଥା ପର୍ଯ୍ୟଟନଶିଳ୍ପରେ ଚତୁର୍ଥ ବୃହତ୍ତମ ରୋଜଗାରକାରୀ ଭାବରେ ପରିଗଣିତ ହୁଏ ।[4]