ଜ୍ୱର, (ଇଂରାଜୀ ଭାଷାରେ ଫିଭର ବା ପାଇରେକଶିଆ ଯଥାକ୍ରମେ Fever ବା pyrexia),[1] ରୋଗର ସଂଜ୍ଞା: ଦେହର ଉତ୍ତାପ ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ୱର ନାମ ଦିଆଯାଏ । [2][3] ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ରୁ ୩୮.୩ ସେ (୯୯.୫ରୁ ୧୦୦.୯) ମଧ୍ୟରେ ଧରାଯାଏ ।[1][4] ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ ମାଂସପେଶୀ ସଂକୋଚନ ଅଧିକ ହୋଇ ଶୀତ ଅନୁଭବ ହୁଏ । [5] ଏହାଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । [6] ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, ଲାଲ ଦେଖାଯାଏ ଝାଳ ବାହାରେ । [6] କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । ଏହା ଯୁବପିଲାଙ୍କର ଅଧିକ ହୁଏ । [7] ସ୍ୱାଭାବିକ ଭାବେ ଜ୍ୱର ୪୧ରୁ ୪୨ °ସେ (୧୦୫.୮ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । [3]
ଅନେକ ମେଡ଼ିସିନ ସମ୍ପର୍କୀୟ ରୋଗରେ ଜ୍ୱର ହୁଏ ଓ ଏହା ଆଦୌ ସମସ୍ୟା ନ କରି ପାରେ ବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହା ଭୂତାଣୁ, ଜୀବାଣୁ, ପରଜୀବୀ, ମୂତ୍ରନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ମେନିଞ୍ଜାଇଟିସ, ମ୍ୟାଲେରିଆ ଓ ଆପେଣ୍ଡିସାଇଟିସ ରୋଗ ଯୋଗୁ ହୁଏ । ସଂକ୍ରମଣ ବିହୀନ ରୋଗ ମଧ୍ୟରେ ଭାସ୍କୁଲାଇଟିସ, ଗଭୀର ଶିରା ଥ୍ରୋମ୍ବୋସିସ, ଔଷଧ ପ୍ରତିକ୍ରିୟା ଓ କର୍କଟ ଅନ୍ୟତମ । [8] ଜ୍ୱର ଓ ହାଇପରଥରମିଆ ପୃଥକ ଅଟେ, ହାଇପରଥର୍ମିଆ ରୋଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ ବା ଉତ୍ତାପ ହ୍ରାସ ନିୟନ୍ତ୍ରଣ ହୋଇପାରେ ନାହିଁ । [1]
ସାମାନ୍ୟ ଉତ୍ତାପ ବୃଦ୍ଧି ନିମନ୍ତେ ଚିକିତ୍ସା ଆବଶ୍ୟକ ନୁହେଁ । [5] କିନ୍ତୁ ଚିକିତ୍ସା କଲେ ରୋଗୀକୁ ଆରାମ ଲାଗେ ଓ ବିଶ୍ରାମ ମିଳେ । କପାଳ ଉପରେ ଥଣ୍ଡା ଓଦା କପଡ଼ା ରଖିଲେ ଓ ଉଷୁମ ପାଣିରେ ସ୍ନାନ କଲେ ଉପକାର ମିଳେ । [7] ଆଇବୁପ୍ରୋଫେନ ବା ପାରାସେଟାମଲ ଔଷଧ ଦେଲେ ଉତ୍ତାପ କମିଯାଏ । [9] ତିନି ମାସରୁ କମ ବଯସର ଶିଶୁକୁ ଜ୍ୱର ହେଲେ ଡାକ୍ତରୀ ପରୀକ୍ଷା ଆବଶ୍ୟକ । [7] ହାଇପରଥର୍ମିଆ ହେଲେ ଚିକିତ୍ସା ଆବଶ୍ୟକ ହୁଏ । [5]
ଜ୍ୱର ଏକ ଅତି ସାଧାରଣ ଡାକ୍ତରୀ ଚିହ୍ନ । ପରାମର୍ଶ ନିମନ୍ତେ ଆସୁଥିବା ଶିଶୁଙ୍କ ମଧ୍ୟରୁ ୩୦ % ଏହା ଯୋଗୁ ଆସନ୍ତି, [5] ଗମ୍ଭୀର ଅସୁସ୍ଥ ଥିବା ଲୋକଙ୍କ ମଧ୍ୟରୁ ୭୫ % ଏହା ଯୋଗୁ ହୁଏ । [10] ଜ୍ୱର ଏକ ପ୍ରତିରକ୍ଷାକାରୀ କ୍ରିୟା ହେଲେ ମଧ୍ୟ ଏହାର ଚିକିତ୍ସା କଲେ ଅବସ୍ଥା ଖରାପ ହୁଏ ନାହିଁ ।[11][12] ପିତାମାତା ଜ୍ୱରକୁ ଆବଶ୍ୟକତାଠାରୁ ଅଧିକ ଗମ୍ଭୀରତାର ସହ ଚିନ୍ତା କରନ୍ତି ଯାହାକୁ ଇଂରାଜୀ ଭାଷାରେ ଫିଭର ଫୋଭିଆ ବା “ଅହେତୁକ ଜ୍ୱର ଭୟ” କୁହାଯାଏ । [5]
ପ୍ରକୃତରେ ଜ୍ୱର ହୁଏ କାହିଁକି ?
ଜ୍ୱର ହେଉଛି ଆମ ଦେହର ଏକ ପ୍ରାକୃତିକ ପ୍ରତିକ୍ଷେପ କ୍ରିୟା । ଆମ ଦେହ ଭିତରେ କୌଣସି ରୋଗ ସୃଷ୍ଟି ହେବାପାଇଁ କିଛି ନା କିଛି ବାହ୍ୟ ଶକ୍ତି ଦରକାର । ଏହି ବାହ୍ୟ ଅଣୁଜୀବ (ବୀଜାଣୁ ଶକ୍ତି ବା ଭୂତାଣୁ ଆଦି) ହୋଇପାରେ କିମ୍ବା ଅନ୍ୟ କିଛି ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ହୋଇପାରେ । କୌଣସି କାରଣରୁ ଏହି ବାହ୍ୟ ଶକ୍ତି ଆମ ଶରୀର ଭିତରେ ପ୍ରବେଶ କଲେ ଆମ ଶରୀରର ପ୍ରତିରକ୍ଷାକାରୀ ଶକ୍ତି ସେହି ବାହ୍ୟ ଶକ୍ତିକୁ ତଡ଼ିଦେବା ନିମନ୍ତେ ନିଜର ପ୍ରତିକ୍ରିୟା ଦେଖାଇ ସେମାନଙ୍କ ସହିତ ସଂଘର୍ଷ କରେ। ବାହ୍ୟ ଶକ୍ତି ସହିତ ଶରୀରର ଜୈବିକ ଶକ୍ତିର ଏହି ପ୍ରତିକ୍ରିୟା ବା ସଂଘର୍ଷ ଫଳରେ ଦେହ ଭିତରେ ଏକ ବିଷାକ୍ତ ଉପାଦାନ ସୃଷ୍ଟି ହୋଇଥାଏ, ଯାହାର ନାଁ ହେଉଛି "ପାଇରୋଜେନ" ଏହି ଉପାଦାନଟି ମସ୍ତିଷ୍କର ତାପକେନ୍ଦ୍ରକୁ ଉତ୍ତେଜିତ କରେ ଓ ଦେହର ତାପମାତ୍ରା ବଢ଼ିଯାଏ । ସେତିକିବେଳେ ଆମକୁ ଜ୍ୱର ହୁଏ । ସେଇଥିପାଇଁ ଜ୍ୱରକୁ ଡାକ୍ତରୀ ଭାଷାରେ "ପାଇରେକସିଆ" ବୋଲି କୁହାଯାଏ । ଏହି ସଂଘର୍ଷରେ ବାହ୍ୟ ଶକ୍ତି ପରାଜିତ ହେଲେ ସେହି ପ୍ରାଥମିକ ଜ୍ୱର ଅବସ୍ଥାରୁ ହିଁ ରୋଗ ଆଉ ନବଢ଼ି ଭଲ ହୋଇଯାଏ । କିନ୍ତୁ ଦେହର ପ୍ରତିରକ୍ଷା ଶକ୍ତି ପରାଜିତ ହେଲେ ବାହ୍ୟ ଶକ୍ତି ସକ୍ରିୟ ହୋଇଥାଏ ଓ ରୋଗ ଉତ୍କଟ ରୂପ ନିଏ ।
ଜ୍ୱର କ'ଣ ଏକ ରୋଗ ?
ସମସ୍ତଙ୍କର ଧାରଣା ଯେ ଜ୍ୱର ଗୋଟିଏ ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଜ୍ୱର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦିଠାରୁ ଆରମ୍ଭ କରି ନିମୋନିଆ, ଯକ୍ଷ୍ମା, ଟାଇଫଏଡ, ମ୍ୟାଲେରିଆ, ବାତଜ୍ୱର, ଡେଙ୍ଗୁ ଜର, ମିଳିମିଳା, ହାଡ଼ଫୁଟି, ତରଳଝାଡ଼ା, କ୍ୟାନସର, ପୋଲିଓ, ଏଡସପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ୱର ହୋଇଥାଏ । ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ୱରର ରୂପ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଜ୍ୱରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ୱର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ ।
ଦେହରେ ଜ୍ୱର ଅଛି ବୋଲି ଜାଣିବେ କେମିତି ?
ଦେହର ତାପମାତ୍ରା ବଢ଼ିଗଲେ ଜ୍ୱର ହୋଇଛି ବୋଲି ଜଣାପଡେ଼ । ସାଧାରଣତଃ ହାତ ପାପୁଲିର ପଛପଟଦ୍ୱାରା କପାଳ, ବେକ, ଗାଲ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ । ଏହି ଯନ୍ତ୍ରର ନା ହେଉଛି "ଜ୍ୱର ତାପମାନ ଯନ୍ତ୍ର" ବା "କ୍ଲିନିକାଲ ଥର୍ମୋମିଟର"। ଜ୍ୱର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଶିଷ୍ଟ ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା "ଫାରେନହିଟ" ମାନକ ଓ ଅନ୍ୟଟି ହେଲା "ସେଣ୍ଟିଗ୍ରେଡ଼" ବା "ସେଲସିୟସ" ମାନକ। ତେବେ ଜ୍ୱର ମାପିବା ପାଇଁ ଫାରେନହିଟ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜିଭତଳେ, କାଖ ଖୋଲରେ, ଜଙ୍ଘ ସନ୍ଧିରେ ଅଥବା ମଳଦ୍ୱାର ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ ।
ଜ୍ୱରର ପ୍ରକାର ଭେଦ
ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ୱରର ପ୍ରକାରଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ୱରର ପ୍ରକୃତି।
ତାପମାତ୍ରାର ପରିମାଣ ଅନୁଯାୟୀ ଜ୍ୱରର ପ୍ରକାର ଭେଦ [13]
ସଂ. | ତାପମାତ୍ରାର ପରିମାଣ | ଜ୍ୱରର ପ୍ରକାର ଭେଦ |
---|---|---|
୧ | ୯୭ ଡିଗ୍ରୀ ଫା.ରୁ ୯୯ ଡି.ଫା.(ହାରାହାରି ୯୮.୪ ଡି.ଫା.) | ସ୍ୱାଭାବିକ ତାପମାତ୍ରା |
୨ | ୯୯ ଡି.ଫା.ରୁ ୧୦୧ ଡି.ଫା. | ସାମାନ୍ୟ ଜ୍ୱର |
୩ | ୧୦୧ ଡି.ଫା.ରୁ ୧୦୩ ଡି.ଫା. | ମଧ୍ୟମ ଧରଣର ଜ୍ୱର |
୪ | ୧୦୩ ଡି.ଫ।.ରୁ ୧୦୬ ଡି.ଫା. | ସାଙ୍ଘ।ତିକ ଜ୍ୱର |
୫ | ୧୦୬ ଡି.ଫ।.ରୁ ଅଧିକ | ଅତି ସାଙ୍ଘାତିକ ଜ୍ୱର |
ଜ୍ୱରର ପ୍ରକୃତି ଅନୁଯାୟୀ ପ୍ରକାରଭେଦ
ଦିନ ଭିତରେ ଦେହରେ ରହୁଥିବା ତାପମାତ୍ରାର ଗତି ଓ ପ୍ରକୃତିକୁ ବିଚାର କରି ମଧ୍ୟ ଜ୍ୱରର ବିଭିନ୍ନ ପ୍ରକାର ନାମକରଣ କରାଯାଇଥାଏ । ଯଥା:-
- ଯେଉଁ ଜ୍ୱରରେ ଦେହର ତାପମାତ୍ରା ଦିନକ ଭିତରେ ଦେଢ଼ ଡିଗ୍ରୀ ଫାରେନହଟ ଭିତେର କମ ବେଶୀ ହୁଏ, ତାକୁ "ଅବିରାମ ଜ୍ୱର" ବୋଲି କୁହାଯାଏ । ଟାଇଫଏଡ ଓ ନିମୋନିଆ ପରି ରୋଗରେ ଏହି ଜ୍ୱର ହୋଇଥାଏ ।
- ଯେଉଁ ଜ୍ୱରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ୱଳ୍ପ ବିରାମ ଜ୍ୱର" ବୋଲି କୁହାଯାଏ।
- ଆଉ କେତେକ ଜ୍ୱର ଅଛି, ଯେଉଁଥିରେ ଜ୍ୱର ଦିନେ ଭିତରେ କିଛି ଘଣ୍ଟା ପାଇଁ ଛାଡ଼ିଯାଇ ଦେହର ତାପମାତ୍ରା ସାଧାରଣ ହୋଇଯାଏ ତା'ପରେ ପୁଣି ଜ୍ୱର ଆସେ। ଏହି ପ୍ରକାର ଜ୍ୱରକୁ "ସବିରାମ ଜ୍ୱର" ବୋଲି କୁହାଯାଏ । ମ୍ୟାଲେରିଆ ଓ ବାତଜ୍ୱର ପରି ରୋଗରେ ଏହି ପ୍ରକାର ଜ୍ୱର ହୁଏ । ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଦିନେ ଦୁଇଦିନ ଛଡ଼ାରେ ଆସୁଥିବାରୁ ଏହାକୁ "ପାଳିଜ୍ୱର" ବୋଲି ମଧ୍ୟ କୁହାଯାଏ । ପାଳି ଅନୁସାରେ ମଧ୍ୟ ଏହାର ବିଭିନ୍ନ ନାମକରଣ କରାଯାଇଥାଏ । ଜ୍ୱର ପ୍ରତିଦିନ ଆସୁଥିଲେ ତାକୁ "କେ୍ବାଟିଡିଆନ" ଜ୍ୱର ବୋଲି କୁହାଯାଏ । ସେହିପରି ଦିନେ ଛଡ଼ା ଦିନେ ଅନ୍ତରରେ ଆସୁଥିଲେ "ଟର୍ସିଆନ" ଓ ଚାରିଦିନରେ ଥରେ ଆସୁଥିଲେ "କ୍ୱାର୍ଟାନ" ଜ୍ୱର ବୋଲି କୁହାଯାଏ ।
- ଯେଉଁ ଜ୍ୱର କୌଣସି ନିୟମ କାନୁନମାନେ ନାହିଁ, ତାକୁ "ଅନିୟମିତ ଜ୍ୱର" ବୋଲି କୁହାଯାଏ ।
ଜ୍ୱର ହେଲେ କ'ଣ ହୁଏ ?
ଜ୍ୱର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ୱର ଛାଡ଼ିଗଲା ପରେ ଦେହରୁ ଝାଳ ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, ଛିଙ୍କ ହୁଏ । କାଶ ବି ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ୱର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ୱର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କଠାରେ ଜ୍ୱର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ୱରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।
କ'ଣ କରିବେ ?
ଜ୍ୱରର ପ୍ରାଥମିକ ଚିକିତ୍ସା ଅତି ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ୱର ଚିକିତ୍ସାର ମୂଳ ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ୱର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ ।
ପ୍ରାଥମିକ ପ୍ରତିବିଧାନ
- ରୋଗୀ ଦେହରେ ଥିବା ଲୁଗାପଟାକୁ ପତଳା କରି ଦିଅନ୍ତୁ ବା କାଢ଼ି ଦିଅନ୍ତୁ । ଛୋଟପିଲା ହୋଇଥିଲେ ତାକୁ ସଂପୂର୍ଣ୍ଣ ଲଙ୍ଗଳା କରିଦିଅନ୍ତୁ ।
- ରୋଗୀକୁ ଆଦୌ ଘୋଡ଼ାଇ ରଖନ୍ତୁ ନାହିଁ । ଏହାଦ୍ୱାରା ଦେହର ତାପମାତ୍ରା ଆହୁରି ବଢ଼ିଯାଏ ।
- ରୋଗୀ ଦେହରେ ଯେମିତି ଖୋଲାପବନ ବାଜି ପାରିବ, ସେ ବ୍ୟବସ୍ଥା କରନ୍ତୁ । ଘରର ଦୁଆର ଝରକା ଆଦି ଖୋଲିଦିଅନ୍ତୁ ଏବଂ ପଙ୍ଖାଚଲାନ୍ତୁ । ରୋଗୀ ଦେହରେ ପବନ ବାଜିଲେ ରୋଗୀର କୌଣସି କ୍ଷତି ହୁଏନାହିଁ ବରଂ ଦେହର ତାପମାତ୍ରା କମିଯାଏ ।
- ରୋଗୀ କପାଳରେ ପାଣି ପଟି ପକାନ୍ତୁ । ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଓଦା ଗାମୁଛାରେ ରୋଗୀ ଶରୀରକୁ ପୋଛିଦିଅନ୍ତୁ । ତେବେ ଏଥି ମଧ୍ୟରୁ ଥରକେ କେବଳ ଗୋଟିଏ ପ୍ରଣାଳୀ ଅନୁସରଣ କରନ୍ତୁ ।
- ଦରକାରପଡ଼ିଲେ ରୋଗୀକୁ ପାଣିରେ ସଂପୂର୍ଣ୍ଣ ବୁଡ଼ାଇ ଗାଧୋଇ ଦିଅନ୍ତୁ । ଅନେକଙ୍କ ଧାରଣା, ଜ୍ୱର ହୋଇଥିବା ବ୍ୟକ୍ତିକୁ ଗାଧୋଇ ଦେଳେ ସନ୍ନିପାତ ହୋଇଯାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଏହାଦ୍ୱାରା ଦେହର ତାପମାତ୍ରା କମିଯାଇ ଉପକାର ମିଳିଥାଏ ।
- କୌଣସି ପରିସ୍ଥିତିରେ ଜ୍ୱର କମାଇବା ପାଇଁ ବରଫ କିମ୍ବା ବରଫ ମିଶା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ବିପରୀତ କ୍ରିୟା କରିଥାଏ, ବରଫ କିମ୍ବା ବରଫ ମିଶା ପାଣି ଦେହରେ ବାଜି ରୋଗୀକୁ ଶୀତଲାଗେ ଓ ତା'ର ଦେହହାତ ଥରେ । ଏହି ଥରିବା ଯୋଗୁଁ ତା'ର ଦେହର ତାପମାତ୍ରା ଆହୁରି ବଢ଼ିଯାଇପାରେ ।
- ରୋଗୀକୁ ଟିକେ ଘଷା ଆଉଁସା କରନ୍ତୁ । ଦେହପୀଡ଼ା ହେଉଥିଲେ ଏହାଦ୍ୱାରା ଆରାମ ମିଳିଥାଏ ।
- ରୋଗୀର ଲୁଗାପଟା, ବିଛଣାଚଦର ଆଦିକୁ ସଫ। ସୁତୁରା ରଖନ୍ତୁ । ରୋଗୀ ଶୋଉଥିବା ଘରକୁ ମଧ୍ୟ ସଫ। ସୁତୁରା ରଖି ଫିନାଇଲ ମିଶା ପାଣିରେ ପୋଛା ପୋଛି କରନ୍ତୁ।
ଜ୍ୱର ପାଇଁ ଖାଦ୍ୟ
- ଜ୍ୱର ଭୋଗୁଥିବା ବ୍ୟକ୍ତିର ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ । କାରଣ ଜ୍ୱର ହେଲେ ଦେହରୁ ଶ୍ୱେତସାର, ପୁଷ୍ଟିସାର, ଭିଟାମିନ ଓ ଜଳର ପରିମାଣ କମିଯାଇଥାଏ । ତେଣୁ ରୋଗୀକୁ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ । ସାଧାରଣ ପାଣି ସହିତ ପଇଡ଼ ପାଣି, ଓ.ଆର.ଏସ. ଚିନି ବା ମିଶ୍ରିର ସର୍ବତ, ଲେମ୍ବୁ ସର୍ବତ, ଫଳରସ ଇତ୍ୟାଦି ମଧ୍ୟ ଦିଅନ୍ତୁ । କିନ୍ତୁ ଥଣ୍ଡା କୋମଳ ପାନୀୟ ବା ଆଇସକ୍ରିମ ଆଦି ଦିଅନ୍ତୁ ନାହିଁ ।
- ପାଣି ସହିତ ଉତ୍ତମ ଲଘୁପାକ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ଅନେକ କହନ୍ତି, ଜ୍ୱରରେ ଭାତ ଖାଇବା କଥା ନୁହେଁ । ଭାତ ଖାଇଲେ ଜ୍ୱର ଲେଉଟେ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଭଲଭାବରେ ଖିଆ ପିଆ କଲେ ଜ୍ୱରରେ ଦେହ ଦୁର୍ବଳ ହୋଇଯାଏ ନାହିଁ ।
- ଜ୍ୱର ହେଲେ କେତେକ ରୋଗୀକୁ କେବଳ ସାଗୁ, ବାର୍ଲି ଇତ୍ୟାଦି ଖାଇବାକୁ ଦିଅନ୍ତି । କିନ୍ତୁ କେବଳ ଏହା ଦେବା ଉଚିତ ନୁହେଁ । ସାଗୁ, ବାର୍ଲି ଦିଅନ୍ତୁ, ତା' ସହିତ କ୍ଷୀର, ନରମ ଭାତ (ଦୋରନ୍ଧା ବା ଘଡ଼ି ଭାତ ହେଲେ ଭଲ), ନରମ ରୁଟି, ପାଉଁରୁଟି, ବିସ୍କୁଟ, ଛେନା, ପରିବା ସୁପ, ପରିବା ସିଝା, ପାଣି ସନ୍ତୁଳା, ଡାଲି ପାଣି, ଅଣ୍ଡା, ମାଛ କିମ୍ବା ମାଂସର ବିନା ମସଲାର ଝୋଳ, ଚୁନାମାଛ ଭଜା, ଚୁଡ଼ାଭଜା, ମୁଡ଼ି, ହୁଡୁମ୍ବ ଇତ୍ୟାଦି ମଧ୍ୟ ଦିଅନ୍ତୁ । ଅନେକ ଲୋକ ଜ୍ୱର ହେଲେ ଆଇଁଷ ଦେବାକୁ ବାରଣ କରିଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଜ୍ୱର ହେଲେ ଦେହରୁ ପୁଷ୍ଟିସାରର ପରିମାଣ କମିଯାଇ ଥାଏ । ତେଣୁ ଆଇଁଷ ଜାତୀୟ ଖାଦ୍ୟ ଦେଲେ ଦେହ ଆବଶ୍ୟକ କରୁଥିବା ପୁଷ୍ଟିସାର ପାଇଯାଇଥାଏ । ତେବେ ଖାଦ୍ୟ ଦେବାବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ, ରୋଗୀକୁ ଯେଉଁ ଖାଦ୍ୟ ଦେବେ, ଏକାବେଳକେ ପେଟ ପୂରାଇ ନଦେଇ ଅଳ୍ପ ଅଳ୍ପ ପରିମାଣରେ ଦିନ ଭିତରେ ପାଞ୍ଚ ଛଅ ଥର କରି ଦିଅନ୍ତୁ । ବେଶୀ ତେଲ, ମସଲା ଓ ରାଗ ହୋଇଥିବା ଖାଦ୍ୟ ଦିଅନ୍ତୁ ନାହିଁ ।
ଔଷଧ ଚିକିତ୍ସା
ଜଳ ଚିକିତ୍ସାରେ ସୁଫଳ ନମିଳିଲେ ଦେହର ତାପମାତ୍ରାକୁ କମାଇ ବା ପାଇଁ "ପାରାସିଟାମଲ" ଜାତୀୟ ଔଷଧ ମଧ୍ୟ ଦିଆଯାଇ ପାରେ । କିନ୍ତୁ ଏହାକୁ ଦେବା ପୂର୍ବରୁ ଏହାର ମାତ୍ରା ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
କେତେବେଳେ ଡାକ୍ତରଙ୍କୁ ଦେଖାଇବେ ?
ଏସବୁ ସତ୍ତ୍ୱେ ଦେହର ତାପମାତ୍ରା ନ କମିଲେ କିମ୍ବା ଜ୍ୱର ଦୀର୍ଘଦିନ ଧରି ଲାଗି ରହିଲେ, ଜ୍ୱର ସହିତ କାଶ, କଫ , କଫରେ ରକ୍ତ, ନାଳରକ୍ତ ଝାଡ଼ା, ଓଜନ ହାନି, କ୍ଷୁଧା ହାନି ଇତ୍ୟାଦି ହେଲେ ରୋଗୀକୁ ଡାକ୍ତରଙ୍କୁ ଦେଖାଇ ବାର ବ୍ୟବସ୍ଥା କରନ୍ତୁ । ଡାକ୍ତର ରୋଗୀର ରକ୍ତ, ମଳ, ମୂତ୍ର, କଫ ଆଦି ପରୀକ୍ଷା କରି ଏବଂ ଆବଶ୍ୟକ ପଡ଼ିଲେ ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ସି.ଟି.ସ୍କାନ ପରି ବିଶେଷ ଧରଣର ପରୀକ୍ଷା କରି ମୂଳ ରୋଗକୁ ଚିହ୍ନଟ କରିଥାନ୍ତି ଓ ତଦନୁଯାୟୀ ଚିକିତ୍ସା କରିଥା'ନ୍ତି ।
ଜ୍ୱର ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଅଧିକାଂଶ ଜ୍ୱର କେବଳ ପ୍ରାଥମିକ ଚିକିତ୍ସାରେ ହିଁ ଭଲ ହୋଇଯାଇଥାଏ ।
ଆହୁରି ଦେଖନ୍ତୁ
ଆଧାର
ବାହାର ତଥ୍ୟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.