ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ
ଉଚ୍ଚ ନ୍ୟାୟାଳୟ ସମୂହ / From Wikipedia, the free encyclopedia
ଭାରତୀୟ ଉଚ୍ଚ ନ୍ୟାୟାଳୟଗୁଡ଼ିକ ପ୍ରତ୍ୟେକ ଭାରତୀୟ ରାଜ୍ଯ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଥାପିତ ମୁଖ୍ଯ ଅଧିକାରକ୍ଷେତ୍ର ବିଶିଷ୍ଟ ନ୍ୟାୟପାଳିକା ଅଟନ୍ତି । ଆର୍ଥିକ କିମ୍ବା ଆଞ୍ଚଳିକ ଅଧିକାରକ୍ଷେତ୍ର ବହିର୍ଭୂତ ମାମଲା ପାଇଁ ଯଦି ନିମ୍ନ ନ୍ୟାୟାଳୟଗୁଡ଼ିକ କ୍ଷମତା ସମ୍ପନ୍ନ ନଥାନ୍ତି, ତେବେ ସେହି ଲୋକ ଏବଂ ଅପରାଧୀକ ମାମଲା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଧିନକୁ ଆସିପାରିବ । କୌଣସି ରାଜ୍ଯ କିମ୍ବା କେନ୍ଦ୍ରଦ୍ୱାରା ପ୍ରଣୟିତ ବିଧିଦ୍ୱାରା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ରର ପ୍ରସାର କରାଯାଇ ପାରିବ ।
ସମ୍ବିଧାନ ଧାରା ୨୨୬ ଓ ୨୨୭ ଅନୁସାରେ, ଅଧିକାଂଶ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟ ମୁଖ୍ଯ ରୂପେ ନିମ୍ନ ଅଦାଲତଗୁଡିକର ରାୟ ବରୁଦ୍ଧରେ ଏବଂ ଲିଖିତାଦେଶ ନିବେଦନ ଉପରେ ଶୁଣାଣି କରିବା । ଲିଖିତାଦେଶ ଅଧିକାରକ୍ଷେତ୍ର ମଧ୍ଯ ଏକ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଟେ ।
ପ୍ରତ୍ୟେକ ରାଜ୍ଯକୁ କେତେକ ନ୍ୟାୟିକ ଜିଲ୍ଲାରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜିଲ୍ଲା ଦୌରାଜଜ ଥାଆନ୍ତି । ଲୋକ ମାମଲାର ବିଚାର କରିବାବେଳେ ସେ ଜିଲ୍ଲାଜଜ ଏବଂ ଅପରାଧୀକ ମାମଲାର ବିଚାର କରିବାବେଳେ ଦୌରାଜଜ ରୂପେ ଜଣାଯାନ୍ତି । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ତଳେ ସେ ଉଚ୍ଚତମ ନ୍ୟାୟାଧୀଶ ଅଟନ୍ତି । ତାଙ୍କ ତଳେ ଲୋକ ଅଧିକାରକ୍ଷେତ୍ରର ନ୍ୟାୟାଳୟ ରହିଛି । ସମ୍ବିଧାନ ଧାରା ୧୪୧ ଅଧିନରେ, ସର୍ବୋଚ୍ଚ ନ୍ଯାଯାଳୟଙ୍କ ରାୟଦ୍ୱାରା ଭାରତର ସମସ୍ତ ନ୍ୟାୟାଳୟ— ଉଚ୍ଚ ନ୍ୟାୟାଳୟ ଅନ୍ତର୍ଭୁକ୍ତ — ଉପରେ କାର୍ଯ୍ୟକାରୀ ହେବ ।
ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ, ଭାରତୀୟ ମୁଖ୍ଯ ବିଚାରପତିଙ୍କ ଏବଂ ରାଜ୍ଯ ରାଜ୍ୟପାଳଙ୍କ ସହ ବିଚାରବିମର୍ଶ କରି ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ଉଚ୍ଚ ନ୍ୟାୟାଳୟଗୁଡ଼ିକ ଜଣେ ମୁଖ୍ଯ ବିଚାରପତିଙ୍କ ନେତୃତ୍ବାଧୀନ । ଭାରତୀୟ ପ୍ରାଥମିକତା କ୍ରମରେ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ବିଚାରପତିମାନେ ନିଜ ରାଜ୍ଯରେ ଚତୁର୍ଦଶ ଏବଂ ରାଜ୍ଯ ବାହାରେ ସପ୍ତଦଶ କ୍ରମରେ ଆସନ୍ତି । ବିଗତ ପାଞ୍ଚ ବର୍ଷରେ ଦର୍ଜିତ ମାମଲା ସଂଖ୍ଯାକୁ ଜାତୀୟ ହାରାହାରି ମାମଲା ସଂଖ୍ଯାରେ ହରଣ କରି ମିଳୁଥିବା ସଂଖ୍ଯା ଆଧାରରେ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଏ ।
୨ ଜୁଲାଇ ୧୮୬୨ ମସିହାରେ ସ୍ଥାପିତ କଲିକତା ଉଚ୍ଚ ନ୍ୟାୟାଳୟ, ଦେଶର ସର୍ବପୂରାତନ ଉଚ୍ଚ ନ୍ୟାୟାଳୟ ଅଟେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବହୁ ସଂଖ୍ଯକ ମାମଲାର ବିଚାର କରିବାପାଇଁ, ସାଧାରଣତଃ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ଖଣ୍ଡପୀଠ ସେଠାରେ ସ୍ଥାପିତ କରାଯାଇ ଥାଏ ।