From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ମାଛରଙ୍କା ବିରାଡ଼ି | |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Prionailurus |
ଜାତି: | P. viverrinus |
ବାଇନୋମିଆଲ ନାମ | |
Prionailurus viverrinus (ଏଡ୍ୱାର୍ଡ୍ ଟର୍ଣ୍ଣର୍ ବେନ୍ନେଟ୍, ୧୮୩୩) | |
୨୦୧୬ ମସିହା ବେଳକୁ ମାଛରଙ୍କା ବିରାଡ଼ିଙ୍କ ଭୌଗୋଳିକ ବିତରଣ[1] |
ମାଛରଙ୍କା ବିରାଡ଼ି (ଇଂରାଜୀରେ fishing cat, ଜୀବବିଜ୍ଞାନ ନାମ Prionailurus viverrinus) ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ମଧ୍ୟମାକୃତିର ଏକ ବଣୁଆ ବିଲେଇ । ୨୦୧୬ ମସିହା ପରଠାରୁ IUCN ତାଲିକାରେ ଏହି ଜୀବକୁ ସଙ୍କଟାଭିମୁଖୀ (Vulnerable-VU) ଶ୍ରେଣୀଭୁକ୍ତ କରାଯାଇଛି । କିଛି ଦଶନ୍ଧି ଧରି ଆର୍ଦ୍ରଭୂମି ଓ ପ୍ରାକୃତିକ ଜଳାଶୟ ହ୍ରାସ ପାଉଥିବାରୁ ଏହି ବିଲେଇ ପ୍ରଜାତିଙ୍କ ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି ।[1] ନଦୀ, ଝରଣା, ପ୍ରାକୃତିକ ନାଳ, ଅଶ୍ୱଖୁରାକୃତି ହ୍ରଦ, ସନ୍ତସନ୍ତିଆ ଭୂମି, ତ୍ରିକୋଣଭୂମିସ୍ଥ ଲୁଣା ହେନ୍ତାଳ ବନ ପରି ଆର୍ଦ୍ରଭୂମି ସଂଲଗ୍ନ ଜଙ୍ଗଲ ଓ ପରିବାସରେ ମାଛରଙ୍କା ବିରାଡ଼ି ବାସ କରିଥାନ୍ତି ।[2]
ମାଛରଙ୍କା ବିରାଡ଼ି ପଶ୍ଚିମବଙ୍ଗ ରାଜ୍ୟର ପ୍ରାଦେଶିକ ପଶୁ ।[3]
୧୮୩୩ ମସିହାରେ ଭାରତରୁ ମିଳିଥିବା ଏକ ମାଛରଙ୍କା ବିରାଡ଼ିର ଛାଲର ବୈଜ୍ଞାନିକ ବିବରଣୀ ଦେଇ ଏଡ୍ୱାର୍ଡ୍ ଟର୍ଣ୍ଣର୍ ବେନ୍ନେଟ୍ ପ୍ରଥମେ ଏହି ଜୀବ ପାଇଁ ଫେଲିସ୍ ଭିଭେରିନସ୍ (Felis viverrinus) ନାମର ପ୍ରସ୍ତାବ ରଖିଥିଲେ ।[4] ଏସିଆରେ ଦେଖାଯାଉଥିବା ଚିତାଦାଗଯୁକ୍ତ ବଣୁଆ ବିଲେଇଙ୍କ ପ୍ରଜାତିର ସାଧାରଣ ନାମ ରଖିବାକୁ ଯାଇ ୧୮୫୮ ମସିହାରେ ନିକୋଲାଇ ସେୱେର୍ତୋଜ୍ ପ୍ରାୟୋନେଲୁରସ୍ (Prionailurus) ନାମର ପ୍ରସ୍ତାବ ଦେଇଥିଲେ ।[5] ପଶ୍ଚିମ ଜାଭାର ଉତ୍ତର ଉପକୂଳରେ ଦେଖାଯାଉଥିବା ଏକ ମାଛରଙ୍କା ବିରାଡ଼ିର ନମୁନାର (ଯାହାର ଖପୁରୀର ଆକାର ଥାଇଲ୍ୟାଣ୍ଡର ପ୍ରଜାତିଠାରୁ ଛୋଟ) ବିବରଣୀ ଦେଇ ହେନ୍ରି ଜ୍ୟାକବ୍ସ ଭିକ୍ଟର୍ ସୋଡି ୧୯୩୬ ମସିହାରେ ଫେଲିସ୍ ଭିଭେରିନସ୍ ରାଇଜୋଫୋରିୟସ୍ (Felis viverrinus rhizophoreus) ନାମର ପ୍ରସ୍ତାବ ରଖିଥିଲେ ।[6]
ବିଭିନ୍ନ ମାଛରଙ୍କା ବିରାଡ଼ିଙ୍କ କୋଷିକା ନମୁନାର ପ୍ରଜାତି-ବିବର୍ତ୍ତନ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ପ୍ରାୟ ୩୮.୨ରୁ ୧୭.୪ ଲକ୍ଷ ବର୍ଷ ପୂର୍ବେ ଏହି ପ୍ରଜାତିଗୁଡ଼ିକ ନିଜ ମୂଳ ବିଡ଼ାଳ ବଂଶର ବିବର୍ତ୍ତନ ପଥରୁ ବିଚ୍ଛିନ୍ନ ହୋଇ ସେମାନଙ୍କଠାରେ ଏକ ଜିନ୍ଗତ ପାର୍ଥକ୍ୟ ପରିଦୃଷ୍ଟ ହୋଇଥିଲା ।[7][8]
ପ୍ରାୟୋନେଲୁରସ୍ ବିଲେଇମାନଙ୍କ ମଧ୍ୟରେ ମାଛରଙ୍କା ବିରାଡ଼ି ସର୍ବବୃହତ ଜୀବ । ଏହାର କର୍କଶ ଲୋମ ଅଲିଭ୍-ପାଉଁଶିଆ କିମ୍ବା ପୂର୍ଣ୍ଣ ପାଉଁଶିଆ ରଙ୍ଗର ହୋଇଥାଏ । ଏହି ବିଲେଇ କାନ୍ଧ ପାଖରେ ଗାଢ଼ ରଙ୍ଗର ପଟାଦାଗ ଓ ଦେହର ଦୁଇ ପାର୍ଶ୍ୱରେ ଛୋଟ ଚିତା ଦାଗ ସବୁ ରହିଥାଏ । ଏହାର କାନ ଛୋଟ ଏବଂ ଗୋଲାକାର । କାନ ପଛ ପଟେ ଧଳା ରଙ୍ଗର ଦାଗ ରହିଥାଏ । ଏହାର ଗାଲରେ ଦୁଇଟି ପଟାଦାଗ ଥାଏ । ଆଖି ଉପରୁ ଦୁଇ କାନ ମଧ୍ୟ ଦେଇ ଚାରିଟି ପଟାଦାଗ କାନ୍ଧ ପର୍ଯ୍ୟନ୍ତ ଯାଇଥାଏ । ପେଟର ତଳ ପଟ ଧଳା ରଙ୍ଗର ଓ ବେକ ପାଖରେ ଦୁଇ ଧାଡ଼ି ଦାଗମାନ ରହିଥାଏ । ଏହାର ଲାଞ୍ଜଟି ଛୋଟ ଓ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଶରୀର ଦୈର୍ଘ୍ୟର ପ୍ରାୟ ଅଧା । ଲାଞ୍ଜର ମୂଳ ଦାଗଯୁକ୍ତ ଓ ଲାଞ୍ଜର ଅଗ୍ରାଂଶରେ କୁଣ୍ଡଳାକାର ଦାଗ ରହିଥାଏ ।[9] ପେଟ ତଳ ଲୋମ ଲମ୍ବାଳିଆ ଓ ସେଥିରେ କିଛି ଦାଗ ରହିଥାଏ ।[10] ପୋଷା ବିଲେଇ ଆକାରର ପ୍ରାୟ ଦୁଇ ଗୁଣ ଆକୃତିବିଶିଷ୍ଟ ଏହି ଜୀବର ଦେହଟି ମାଂସପେଶୀ ଭରା ଏବଂ ଏହାର ଗୋଡ଼ଗୁଡ଼ିକ ଛୋଟ ବା ମଧ୍ୟମାକାର । ଏହାର ମୁହଁଟି ସାମାନ୍ୟ ଲମ୍ବାଳିଆ । ମାଛରଙ୍କା ବିଲେଇର ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଦୈର୍ଘ୍ୟ ୫୭-୭୮ ସେଣ୍ଟିମିଟର ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ୨୦-୩୦ ସେଣ୍ଟିମିଟର । ମାଈ ବିଲେଇଗୁଡ଼ିକ ୫.୧-୬.୮ କିଲୋଗ୍ରାମ୍ ଏବଂ ଅଣ୍ଡିରା ବିଲେଇଗୁଡ଼ିକ ୮.୫-୧୬ କିଲୋଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି ।[11]
ଭୌଗୋଳିକ ଦୃଷ୍ଟିକୋଣରୁ ମାଛରଙ୍କା ବିରାଡ଼ିମାନେ ଏସିଆ ମହାଦେଶରେ ବିକ୍ଷିପ୍ତ । ହିମାଳୟ ପର୍ବତଶ୍ରେଣୀର ପାଦଦେଶର ଭାରତ ଓ ନେପାଳର ତେରାଇ ଅଞ୍ଚଳରେ, ପୂର୍ବ ଭାରତ, ବଙ୍ଗଳାଦେଶ ଓ ଶ୍ରୀଲଙ୍କା ଆଦି ଦେଶରେ ଏମାନେ ଦେଖିବାକୁ ମିଳନ୍ତି । ମାଲେସିଆ ଉପଦ୍ୱୀପ, ଭିଏତନାମ ଓ ଲାଓସରେ ଏମାନେ ରହିଥିବାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ ।[1][12] ଆର୍ଦ୍ରଭୂମି, ଅଶ୍ୱଖୁରାକୃତି ହ୍ରଦମାନଙ୍କ ନିକଟସ୍ଥ ସନ୍ତସନ୍ତିଆ ଜମି, ପଙ୍କମୟ ସ୍ଥାନ, ଜୁଆରିଆ ନଦୀନାଳ ଓ ଲୁଣା ହେନ୍ତାଳ ଜଙ୍ଗଲରେ ଏମାନଙ୍କ ବାସସ୍ଥାନ । ଛୋଟ ଓ ଦ୍ରୁତ ପ୍ରବାହବିଶିଷ୍ଟ ନଦୀନାଳ ପାଖରେ ଏମାନେ କମ୍ ସଂଖ୍ୟାରେ ଦେଖାଯାନ୍ତି । ଏହି ବିଲେଇର ଉପସ୍ଥିତି ନିମ୍ନ ଭୂମି ଅଞ୍ଚଳରେ ହିଁ ଅଧିକାଂଶ ସମୟରେ ଲିପିବଦ୍ଧ କରାଯାଇଛି ।[2]
୨୦୧୨ ମସିହାରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଛୋଟିଆରି ବନ୍ଧ ଅଞ୍ଚଳରେ ମାଛରଙ୍କା ବିରାଡ଼ିଙ୍କ ଉପସ୍ଥିତି ରହିଥିବା ତଥ୍ୟ ଲୋକଲୋଚନକୁ ଆସିଥିଲା ।[13]
ନେପାଳର ତେରାଇ ଅଞ୍ଚଳର ବରଦିଆ ଜାତୀୟ ଉଦ୍ୟାନ, ଚିତୱନ ଜାତୀୟ ଉଦ୍ୟାନ, ପାର୍ସା ଜାତୀୟ ଉଦ୍ୟାନ ଏବଂ କୋଶି ଟାପୁ ବନ୍ୟଜୀବ ଅଭୟାରଣ୍ୟରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ରହିଥିବା ବିଷୟ ଲିପିବଦ୍ଧ ହୋଇଛି ।[14][15][16][17]
ଭାରତରେ ବିଭିନ୍ନ ସ୍ଥାନରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ରହିଥିବା ବିଷୟ ଲିପିବଦ୍ଧ ହୋଇଛି:
ବଙ୍ଗଳାଦେଶୀ ଖବରଗାଗଜରେ ପ୍ରକାଶିତ ସମ୍ବାଦ ଅନୁସାରେ ବଙ୍ଗଳାଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ମାଛରଙ୍କା ବିରାଡ଼ି ରହନ୍ତି କିନ୍ତୁ ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ । ୨୦୧୦ ଜାନୁଆରୀ ମାସରୁ ୨୦୧୩ ମାର୍ଚ୍ଚ ମାସ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀମାନଙ୍କଦ୍ୱାରା ୩୦ଟି ମାଛରଙ୍କା ବିରାଡ଼ି ନିହତ ହୋଇଥିବା ପ୍ରକାଶ ପାଇଥିଲା ।[27]
ବ୍ରହ୍ମଦେଶରେ ଈରାବତୀ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ବିଷୟ ଲିପିବଦ୍ଧ କରାଯାଇଛି ।[28]
ଥାଇଲ୍ୟାଣ୍ଡର ଖାଓ ସାମ୍ ରୋଇ ୟୋତ୍ ଜାତୀୟ ଉଦ୍ୟାନ, ଉପକୂଳସ୍ଥ ଥାଲେ ନୋଇ ଶିକାରନିଷିଦ୍ଧ ଅଞ୍ଚଳ ଓ କାଏଂଗ୍ କ୍ରାଚନ୍ ଜାତୀୟ ଉଦ୍ୟାନରେ ମାଛରଙ୍କା ବିରାଡ଼ି ଦେଖାଯାନ୍ତି ।[29][30] ୨୦୦୭ ଓ ୨୦୧୬ ମସିହା ମଧ୍ୟରେ ଫିତ୍ସାନୁଲୋକ ପ୍ରଦେଶ, ବାଂଗ୍ ଖୁନ୍ ଥିଆନ୍ ଜିଲ୍ଲା, ସାମୁଟ୍ ସାଖୋନ୍ ପ୍ରଦେଶ, ଫେଟଚାବୁରି ପ୍ରଦେଶ, ଶୋଂଖ୍ଲା ପ୍ରଦେଶମାନଙ୍କ ସଂରକ୍ଷିତ ଅଞ୍ଚଳ ବାହାରେ ଓ ପଟ୍ଟାନିର ଲୁଣା ହେନ୍ତାଳ ବନରେ ମଧ୍ୟ ମାଛରଙ୍କା ବିରାଡ଼ି ବାସକରୁଥିବା ତଥ୍ୟ ପଦାକୁ ଆସିଥିଲା ।[31]
୨୦୦୩ ମସିହା ମାର୍ଚ୍ଚ ମାସରେ ଉତ୍ତର କାମ୍ବୋଡ଼ିଆର କୁଲେନ୍ ପ୍ରୋମଟେପ୍ ବନ୍ୟଜୀବ ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା ଯେଉଁଥିରୁ ଏକ ମାଛରଙ୍କା ବିରାଡ଼ିର ଫଟୋଚିତ୍ର ପ୍ରାପ୍ତ ହୋଇଥିଲା ।[32] ୨୦୦୮ ମସିହାରେ ଦକ୍ଷିଣ-ପଶ୍ଚିମ କାମ୍ବୋଡ଼ିଆର ବୋଟୁମ୍-ସାକୋର୍ ଜାତୀୟ ଉଦ୍ୟାନରେ ମଧ୍ୟ ଏକ ମାଛରଙ୍କା ବିରାଡ଼ି ଶାବକ ଠାବ ହୋଇଥିଲା ।[33] ୨୦୧୫ ମସିହାରେ କାମ୍ବୋଡିଆର ପିଆମ୍ କ୍ରାସୋପ୍ ବନ୍ୟଜୀବ ଅଭୟାରଣ୍ୟରେ ଏହି ବିଲେଇ ଦେଖାଯିବା ବିଷୟ ଲିପିବଦ୍ଧ କରାଯାଇଛି ।[34]
ଜାଭା ଦ୍ୱୀପ ଏହି ବିଲେଇ ପ୍ରଜାତିର ଭୌଗୋଳିକ ବ୍ୟାପ୍ତିର ଦକ୍ଷିଣତମ ସୀମା । ୧୯୯୦ ଦଶନ୍ଧି ବେଳକୁ ଜାଭାରେ ଏମାନଙ୍କ ବ୍ୟାପ୍ତି କାଦୁଅପୂର୍ଣ୍ଣ ଜୁଆରିଆ ଜଙ୍ଗଲ, ହେନ୍ତାଳ ବନ ଓ ପରିତ୍ୟକ୍ତ ହେନ୍ତାଳ ଜଙ୍ଗଲର ମତ୍ସ୍ୟଚାଷ ପୋଖରୀମାନଙ୍କ ପର୍ଯ୍ୟନ୍ତ ସୀମିତ ଥିଲା ।[35]
ମାଛରଙ୍କା ବିରାଡ଼ି ପ୍ରଧାନତଃ ରାତ୍ରିଚର ଏବଂ ପାଣି ବା ଆର୍ଦ୍ର ଭୂମି ନିକଟରେ ବାସ କରିଥାଏ । ଏହି ବିରାଡ଼ି ବହୁ ଦୂର ପର୍ଯ୍ୟନ୍ତ ପହଁରିପାରେ ଓ ଏହା ପାଣିରେ ବୁଡ଼ ଲଗାଇ ମଧ୍ୟ ପହଁରିଥାଏ । ଶାବକ ନଥିଲେ ପରିପକ୍ୱ ବୟସର ଅଣ୍ଡିରା ଓ ମାଈ ବିରାଡ଼ିମାନେ ପ୍ରାୟ ଏକାକୀ ହିଁ ରହନ୍ତି । ମାଈମାନେ ୪-୬ ବର୍ଗ କିଲୋମିଟର ଓ ଅଣ୍ଡିରାମାନେ ୧୬-୨୨ ବର୍ଗ କିଲୋମିଟର କ୍ଷେତ୍ରରେ ବିଚରଣ କରିଥାନ୍ତି । ପରିପକ୍ୱ ବୟସର ବିରାଡ଼ିମାନେ "ଚପା ଗଳାରେ ହସିବା" ପରି ଏକ ପ୍ରକାରର ଶବ୍ଦ କରିଥାନ୍ତି ।[11]
ମାଛରଙ୍କା ବିଲେଇ ଜଳାଶୟ କୂଳରେ ଶିକାର କରିବା, ପାଣି ଭିତରକୁ ପଶି ଶିକାର ଧରିବା, କୂଳରୁ ବହୁ ଦୂର ଭିତରକୁ ଯାଇ ମାଛ ପାଇଁ ଗଭୀର ଜଳରେ ବୁଡ଼ ପକାଇବା, ଇତ୍ୟାଦି ଶିକାରକାଳୀନ ବ୍ୟବହାର ଦେଖାଯାଇଛି ।[36] ଏହି ବିଲେଇର ମୁଖ୍ୟ ଆହାର ହେଉଛି ମାଛ । ଭାରତର କେଓଲାଦେଓ ଜାତୀୟ ଉଦ୍ୟାନରୁ ସଂଗ୍ରହ ହୋଇଥିବା ଏହି ବିରାଡ଼ିର ବର୍ଜ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ କେବଳ ମାଛ ଏହାର ଆହାରର ପ୍ରାୟ ତିନି-ଚତୁର୍ଥାଂଶ ଏବଂ ଅନ୍ୟ ଏକ-ଚତୁର୍ଥାଂଶ ହେଲା ପକ୍ଷୀ, କୀଟପତଙ୍ଗ, ଚୁଟିଆ ମୂଷା, ଗେଣ୍ଡା, ସାପ ପରି ସରୀସୃପ, ବେଙ୍ଗ ପରି କିଛି ଉଭୟଚର ଜୀବ ଏବଂ ଗୃହପାଳିତ ପଶୁଙ୍କ ଗଳିତ ଶବ ।[37]
ବିଭିନ୍ନ ସ୍ଥାନରେ ଗାଲ, ମୁଣ୍ଡ, ଥୋଡ଼ି ବା ବେକ ଘଷି ଓ ନିଜର ମୂତ୍ର ସିଞ୍ଚନ କରି ଏମାନେ ନିଜର କ୍ଷେତ୍ର ଚିହ୍ନଟ କରନ୍ତି ତଥା ନିଜର ଶରୀରର ଗନ୍ଧ ଛାଡ଼ନ୍ତି । ମାଛରଙ୍କା ବିରାଡ଼ିମାନେ ନିଜ ନଖ ଧାର କରନ୍ତି । ନାକ ବନ୍ଦ କରି ପାଟିପଟୁ ଗନ୍ଧ ଶୁଂଘି ବାରିବା ପରି ବ୍ୟବହାର ମଧ୍ୟ ଏମାନଙ୍କଠାରେ ଦେଖାଯାଏ ଯାହାକୁ ଫ୍ଲେମେନ୍ ବ୍ୟବହାର (Flehmen behavior) କୁହାଯାଏ ।[38]
ବଣରେ ରହୁଥିବା ମାଛରଙ୍କା ବିରାଡ଼ିମାନେ ଜାନୁଆରୀ ଓ ଫେବୃଆରୀ ମାସରେ ମୁଖ୍ୟତଃ ଦିନ ବେଳା ସମ୍ଭୋଗ କ୍ରିୟା କରନ୍ତି । ମାର୍ଚ୍ଚ ଓ ଅପ୍ରେଲ୍ ମାସରେ ବଣରେ ଅନେକ ଶାବକ ଦେଖାଯିବାରୁ ଏପରି ଅନୁମାନ କରାଯାଏ ।[11] ଚିଡ଼ିଆଘରେ ଜନ୍ତା ଭିତରେ ରଖାଯାଇଥିବା ମାଛରଙ୍କା ବିରାଡ଼ିର ଗର୍ଭଧାରଣ ସମୟ ପ୍ରାୟ ୬୩-୭୦ ଦିନ ହୋଇଥିବା ଦେଖାଯାଇଛି । ମାଈ ବିରାଡ଼ିମାନେ ଏକା ଥରକେ ୨-୩ଟି ଶାବକଙ୍କୁ ଜନ୍ମ ଦେଇଥାନ୍ତି ।[38] ଜନ୍ମ ସମୟରେ ଶାବକଗୁଡ଼ିକ ୧୭୦ ଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି । ମାସେ ହେବା ପରେ ଶାବକମାନେ ସକ୍ରିୟ ହୋଇ ଚାରିଆଡ଼େ ବୁଲାବୁଲି କରି ଯାଇପାରନ୍ତି । ଦୁଇ ମାସ ବୟସରେ ଶାବକମାନେ ପାଣିରେ ଖେଳାଖେଳି କରିବା ଆରମ୍ଭ କରନ୍ତି ଏବଂ କିଛି ପରିମାଣରେ କଠିନ ଖାଦ୍ୟ ଖାଇବା ମଧ୍ୟ ଆରମ୍ଭ କରନ୍ତି । ଛଅ ମାସ ବୟସରେ ସେମାନେ ମା’ କ୍ଷୀର ଖାଇବା ଛାଡ଼ିଥାନ୍ତି । ସାଢ଼େ ଆଠ ମାସ ବେଳକୁ ସେମାନେ ପରିପକ୍ୱ ଅନ୍ୟ ବିରାଡ଼ିଙ୍କ ଆକାରର ହୋଇଯାନ୍ତି, ୧୧ ମାସ ବୟସ ବେଳକୁ ସେମାନଙ୍କ ଶ୍ୱାନ ଦାନ୍ତ ବାହାରି ପଡ଼ିଥାଏ ଓ ପାଖାପାଖି ୧୫ ମାସ ବୟସରେ ସେମାନେ ଯୌନ ପରିପକ୍ୱତା ହାସଲ କରନ୍ତି । ଜନ୍ତା ଭିତରେ ମାଛରଙ୍କା ବିରାଡ଼ି ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଦେଖାଯାଇଛି ।[11]
ପ୍ରଦୂଷଣ ଏବଂ ଚାଷବାସ ପାଇଁ ମନୁଷ୍ୟମାନେ ଆର୍ଦ୍ରଭୂମି ପରିବାସକୁ ପଶି ଆସିବା ଯୋଗୁଁ ମାଛରଙ୍କା ବିରାଡ଼ିଙ୍କ ପ୍ରାକୃତିକ ପରିବାସ କ୍ଷୟ ହେବାରେ ଲାଗିଛି । ଆନ୍ଧ୍ର ପ୍ରଦେଶରେ ବ୍ୟାବସାୟିକ ଆକ୍ୱାକଲ୍ଚର୍ କ୍ଷୁଦ୍ର ଜଳାଶୟମାନଙ୍କରେ ପରିଣତ କରିବା ଯୋଗୁଁ ଲୁଣା ହେନ୍ତାଳ ବଣ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି ଏବଂ ଏଠାରେ ମାଛରଙ୍କା ବିରାଡ଼ିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ମଧ୍ୟ କରାଯାଉଛି । ମାଛରଙ୍କା ବିରାଡ଼ିର ମୁଖ୍ୟ ଆହାର ମାଛ ମଧ୍ୟ ମନୁଷ୍ୟଙ୍କଦ୍ୱାରା ବହୁ ପରିମାଣରେ ମରାଯିବା ଏହି ଜୀବ ପ୍ରଜାତି ପାଇଁ ଏକ ବିପଦ ।[1] ୨୦୧୦ ମସିହା ଅପ୍ରେଲ୍ରୁ ନେଇ ୨୦୧୧ ମଇ ମାସ ମଧ୍ୟରେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରେ ୨୭ଟି ମୃତ ମାଛରଙ୍କା ବିରାଡ଼ି ମିଳିଥିଲେ ।[20] ସେହିପରି ୨୦୧୦ ଜାନୁଆରୀରୁ ୨୦୧୩ ମାର୍ଚ୍ଚ ମାସ ମଧ୍ୟରେ ବଙ୍ଗଳାଦେଶରେ ସ୍ଥାନୀୟ ଲୋକେ ୩୦ଟି ମାଛରଙ୍କା ବିରାଡ଼ିଙ୍କୁ ମାରିବାର ଘଟଣା ଲିପିବଦ୍ଧ ହୋଇଛି ।[27] ଥାଇଲ୍ୟାଣ୍ଡରେ ଏକ ଗବେଷଣାରୁ ଜଣା ପଡ଼ିଥିଲା ଯେ ରେଡ଼ିଓ କଲାର୍ ବନ୍ଧା ଯାଇଥିବା ୮୪% ମାଛରଙ୍କା ବିରାଡ଼ି ଅବୈଧ ଶିକାର କିମ୍ବା କୌଣସି ଅଜଣା କାରଣରୁ ପ୍ରାଣ ହରାଇଥିଲେ ।[1]
ଭାରତର କେରଳ ରାଜ୍ୟରେ ମାଛରଙ୍କା ବିରାଡ଼ି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଥିବା ଅନୁମାନ କରାଯାଉଛି ।[39]
ପ୍ରାୟୋନେଲୁରସ୍ ଭିଭେରିନସ୍କୁ ସାଇଟ୍ସ୍ (CITES)ର ଦ୍ୱିତୀୟ ଅନୁଚ୍ଛେଦରେ ସ୍ଥାନ ଦିଆଯାଇଛି ଏବଂ ଏହାର ଭୌଗୋଳିକ ବ୍ୟାପ୍ତି ରହିଥିବା ସବୁ ଅଞ୍ଚଳର ସ୍ଥାନୀୟ ଆଇନ ଅନୁଯାୟୀ ଏହାକୁ ଏକ ସଂରକ୍ଷିତ ଜୀବ ମାନ୍ୟତା ଦିଆଯାଇଛି । ବଙ୍ଗଳାଦେଶ, କାମ୍ବୋଡ଼ିଆ, ଚୀନ, ଭାରତ, ଇଣ୍ଡୋନେସିଆ, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ପ୍ରଭୃତି ଦେଶରେ ମାଛରଙ୍କା ବିରାଡ଼ିର ଶିକାର କରିବା ନିଷେଧ । ଲାଓସରେ ଏମାନଙ୍କ ଶିକାର ଉପରେ କିଛି ମାତ୍ରାରେ କଟକଣା ରହିଛି । ଭୁଟାନ ଓ ଭିଏତନାମରେ ସଂରକ୍ଷିତ ଅଞ୍ଚଳ ବାହାରେ ରହୁଥିବା ମାଛରଙ୍କା ବିରାଡ଼ିଙ୍କ ପାଇଁ ସଂରକ୍ଷଣ ନିୟମ ନାହିଁ ।[2] ଆର୍ଦ୍ରଭୂମିର ସଂରକ୍ଷଣ, ବେଆଇନ ଫାଶ ପକାଇ ଧରିବା, ବିଷ ଦେଇ ମାରିବା ଓ ଶିକାର କରିବା ଉପରେ ନିଷେଧାଜ୍ଞା ପରି ପଦକ୍ଷେପ ଉପରେ ମାଛରଙ୍କା ବିରାଡ଼ିର ଅସ୍ଥିତ୍ୱ ଏବଂ ସଂରକ୍ଷଣ ନିର୍ଭର କରେ ।[1]
ଯେଉଁ ସବୁ ଅଞ୍ଚଳରେ ପରିବାସ କ୍ଷୟ ଏକ ବଡ଼ ସମସ୍ୟା (ଯଥା: ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ), ସେଠାରେ ବେସରକାରୀ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ପରିବାସ ନଷ୍ଟର ହାରକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କାର୍ଯ୍ୟରେ ସଫଳତା ପାଇଁ ଗ୍ରାମବାସୀଙ୍କୁ ଏକ ବିକଳ୍ପ ଆମଦାନୀର ପନ୍ଥା ଦେଖାଇବାକୁ ହୋଇଥାଏ ଯାହା ଫଳରେ ସେମାନେ ନିଜ ରୋଜଗାର ପାଇଁ ମାଛରଙ୍କା ବିରାଡ଼ିଙ୍କ ପ୍ରାକୃତିକ ପରିବାସ କ୍ଷୟ ନ କରନ୍ତି ।[40]
ୟୁରୋପ ଓ ଆମେରିକାର ଚିଡ଼ିଆଖାନା ଓ ଏକ୍ୱେରିୟମ୍ ସଙ୍ଗଠନ ମାଛରଙ୍କା ବିରାଡ଼ିଙ୍କୁ ପ୍ରଜନନ କେନ୍ଦ୍ରରେ ରଖି ସେମାନଙ୍କ ସଂରକ୍ଷଣ ପାଇଁ ପ୍ରଜନନ ଯୋଜନାମାନ ଆରମ୍ଭ କରିଥିଲେ । ବିଶ୍ୱର ବିଭିନ୍ନ ଚିଡ଼ିଆଖାନାରେ ରଖାଯାଇଥିବା ମାଛରଙ୍କା ବିରାଡ଼ିଙ୍କ ବିଷୟରେ “ଇଣ୍ଟରନ୍ୟାସନାଲ୍ ଷ୍ଟଡ଼୍ବୁକ୍ ଅଫ୍ ଆସୋସିଏଷନ୍ ଅଫ୍ ଜୁ’ସ୍ ଏଣ୍ଡ୍ ଏକ୍ୱେରିୟମ୍ସ୍”ର ତାଲିକାରୁ ଜାଣିହେବ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.