ଏଲୋରା ଗୁମ୍ଫା
ଭାରତର ଏକ ପ୍ରାଚୀନ ଗୁ୍ମ୍ପା / From Wikipedia, the free encyclopedia
ଏଲୋରା (ଈଂରାଜୀରେ Ellora, ମରାଠୀ ଭାଷାରେ वेरूळ, ମରାଠୀ ଉଚ୍ଚାରଣ - ୱେରୁଳ୍) ଗୁମ୍ଫା ସମୂହ ଭାରତର ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଗୋଟିଏ ବିଶାଳକାୟ ପଥରକୁ କାଟି ନିର୍ମିତ ଗୁମ୍ଫା-ମନ୍ଦିର ଭାବେ ଏହା ବିଶ୍ୱରେ ସର୍ବବିଦିତ । UNESCO ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ଏହି ଗୁମ୍ଫା ମନ୍ଦିରରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧାର୍ମିକ ଭାବନା ପ୍ରତିଫଳିତ ହୋଇଛି । ଏହି ଗୁମ୍ଫାର ମୂର୍ତ୍ତି ଓ ଶିଳ୍ପକଳା ଖ୍ରୀ. ୬୦୦-୧୦୦୦ ସମୟର ବୋଲି ଅନୁମାନ କରାଯାଏ ।[1][2] ଗୁମ୍ଫା କ୍ରମାଙ୍କ ୧୬ରେ ଗୋଟିଏ ଶିଳାକୁ କାଟି ନିର୍ମିତ କୈଳାସ ମନ୍ଦିର ବିଶ୍ୱର ବୃହତ୍ତମ ପ୍ରସ୍ତର-ଖୋଦିତ ମନ୍ଦିର । ଏକ ରଥର ଆକୃତିରେ ନିର୍ମିତ ଏହି ମନ୍ଦିର ମହାଦେବ ଶିବଙ୍କୁ ସମର୍ପିତ । କୈଳାସ ମନ୍ଦିରରେ ଶିବଙ୍କ ବ୍ୟତୀତ ଅନେକ ବହୁ ଦେବଦେବୀଙ୍କ ମୂର୍ତ୍ତି, ବୈଷ୍ଣବ-ଶାକ୍ତ-ଶୈବ ପରମ୍ପରାର ପୌରାଣିକ ଗଳ୍ପର ଚିତ୍ର, ରାମାୟଣ-ମହାଭାରତ କଥା ଇତ୍ୟାଦି ଖୋଦିତ ହୋଇଛି ।[3][4][5]
ଏଲୋରା ଗୁମ୍ଫା | |
---|---|
ଅବସ୍ଥାନ | ଔରଙ୍ଗାବାଦ ଜିଲ୍ଲା, ମହାରାଷ୍ଟ୍ର, ଭାରତ |
ଦିଗବାରେଣି | 20.0268°N 75.1771°E / 20.0268; 75.1771 |
UNESCO World Heritage Site | |
ପ୍ରକାର | ସାଂସ୍କୃତିକ |
ମାନଦଣ୍ଡ | i, iii, vi |
Designated | ୧୯୮୩(୭ମ ବିଶ୍ୱ ଐତିହ୍ୟ ସମ୍ମିଳନୀ) |
Reference no. | 243 |
UNESCO Region | Asia-Pacific |
ଚରଣାଦ୍ରି ନାମକ ପାହାଡ଼ର ବାସାଲ୍ଟ ଆଗ୍ନେୟ ଶିଳା ଚଟ୍ଟାଣରେ ଶତାଧିକ ଗୁମ୍ଫା ଖୋଦିତ ହୋଇଥିଲା ଯେଉଁଥିରୁ ମାତ୍ର ୩୪ଟି ଗୁମ୍ଫା ବର୍ତ୍ତମାନ ସମୟରେ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ।[3] ତନ୍ମଧ୍ୟରୁ ୧୨ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୧ରୁ ୧୨) ବୌଦ୍ଧ ଧର୍ମ, ୧୭ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୧୩ରୁ ୨୯) ହିନ୍ଦୁ ଧର୍ମ ଓ ୪ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୩୦ରୁ ୩୪) ଜୈନ ଧର୍ମରେ[6][7] ଖ୍ରିୀଷ୍ଟ ପରବର୍ତ୍ତୀ ପ୍ରଥମ ସହସ୍ରାବ୍ଦରେ ପ୍ରଚଳିତ ଦେବଦେବୀ, ସନ୍ଥ, ପୌରାଣିକ କଥାର ଶିଳାଚିତ୍ର, ମୂର୍ତ୍ତିକଳା, ମଠ, ବିହାର ଇତ୍ୟାଦିର ଛାପ ଦେଖିବାକୁ ମିଳେ ।[6] ପରସ୍ପର ସହିତ ସଂଲଗ୍ନ ହୋଇ ଖୋଦିତ ହୋଇଥିବାରୁ ସେ ସମୟରେ ଏହି ତିନୋଟି ଧର୍ମାବଲମ୍ବୀଙ୍କ ମଧ୍ୟରେ ଅପୂର୍ବ ଧାର୍ମିକ ଐକ୍ୟ ଓ ସହିଷ୍ଣୁତା ରହିଥିଲା ବୋଲି ଅନୁମାନ କରାଯାଇପାରେ ।[2][8] ରାଷ୍ଟ୍ରକୂଟ ପରି ହିନ୍ଦୁ ଧର୍ମାବଲମ୍ବୀ ଶାସକଙ୍କ ରାଜୁତି ସମୟରେ କିଛି ହିନ୍ଦୁ ଓ ବୌଦ୍ଧ ଗୁମ୍ଫା, ଯାଦବ ରାଜବଂଶର ଶାସକଙ୍କ ସମୟରେ ଜୈନ ଗୁମ୍ଫାମାନ ଖୋଦିତ ହୋଇଥିଲା । ସ୍ଥାନୀୟ ରାଜା, ବଣିକ ଶ୍ରେଣୀ, ଅନ୍ୟ ସମ୍ଭ୍ରାନ୍ତ ଓ ଧନୀ ବର୍ଗର ଲୋକଙ୍କ ଆର୍ଥିକ ସହାୟତାରେ ଏହି ସବୁ ଗୁମ୍ଫାର ଖୋଦନ କରାଯାଇଥିଲା ।[3][9]
ଏଲୋରା ଗୁମ୍ଫା ମନ୍ଦିର ଗୁଡ଼ିକ ମଠ, ବିହାର, ମନ୍ଦିର ଓ ତୀର୍ଥଯାତ୍ରୀଙ୍କ ବିଶ୍ରାମସ୍ଥଳ ରୂପେ ବ୍ୟବହାର ହେଉଥିଲା ବୋଲି ଅନୁମାନ କରାଯାଏ ।[7] ପୁଣି ଦକ୍ଷିଣ ଭାରତର ପାରମ୍ପରିକ ବାଣିଜ୍ୟ ପଥ ଉପରେ ଏହାର ଉପସ୍ଥିତିକୁ ଦେଖି ଏହା ସେକାଳର ଡେକାନ୍ ମାଳଭୂମିର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହୋଇଥିବା ମଧ୍ୟ ସମ୍ଭବପର ।[10] ଔରଙ୍ଗାବାଦର ଉତ୍ତର-ପଶ୍ଚିମରେ ୨୯ କିଲୋମିଟର୍ (୧୮ ମାଇଲ୍) ଦୂରରେ ଓ ମୁମ୍ବାଇ ନଗରର ପୂର୍ବ-ଉତ୍ତରପୂର୍ବ ଦିଗରେ ୩୦୦ କିଲୋମିଟର୍ (୧୯୦ ମାଇଲ୍) ଦୂରରେ ଏଲୋରା ଗୁମ୍ଫାସମୂହ ଅବସ୍ଥିତ । ଅଜନ୍ତା ଗୁମ୍ଫା ଓ ଏଲୋରା ଗୁମ୍ଫା ବର୍ତ୍ତମାନ ସମୟରେ ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ପୀଠ ।[11]