ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ From Wikipedia, the free encyclopedia
ଗୋକୁଳାନନ୍ଦ ମହାପାତ୍ର (୨୪ ମଇ ୧୯୨୨ - ୧୦ ଜୁଲାଇ, ୨୦୧୩)[3] ଜଣେ ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ ଥିଲେ ।[4][5] ୧୯୨୨ ମସିହା ମଇ ୨୪ ତାରିଖରେ ଭଦ୍ରକ ସହର ଅନ୍ତର୍ଗତ କୁଆଁସଠାରେ ଜନ୍ମଗ୍ରହଣ କରିଥିବା ଡଃ. ମହାପାତ୍ର ନିଜ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ନାରାୟଣ ଚନ୍ଦ୍ର ଓ ଭଦ୍ରକ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ରେଭେନ୍ଶା କଲେଜରୁ ରସାୟନ ବିଜ୍ଞାନରେ ସମ୍ମାନ ସହିତ ବି.ଏସ୍ସି. ଏବଂ କଲିକତାର ପ୍ରେସିଡେନ୍ସି କଲେଜରୁ ଏମ୍.ଏସ୍ସି ପାସ କରିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଶ୍ୱଶୁର ଭଦ୍ରକ ଜିଲ୍ଲାର ଭୂୟାଁୱ୍ୟାସର ଜମିଦାର ସ୍ୱର୍ଗତଃ ବିନୋଦ ବିହାରୀ ରାୟଙ୍କ ସାହାଯ୍ୟ ଉଲ୍ଲେଖନୀୟ । ୧୯୫୮ ମସିହାରେ ସେ ପି.ଏଚ୍ଡି. ହାସଲ କରିଥିଲେ । ୧୯୬୧ ମସିହାରେ ଉଚ୍ଚତର ଗବେଷଣା ପାଇଁ ଆମେରିକା ଯାଇଥିଲେ । ପରିବାର ନେଇ ଭାରତ ବାହାରକୁ ଯିବାରେ ସେ ଥିଲେ ତୃତୀୟ ଓଡ଼ିଆ ଗବେଷକ ।
ଗୋକୁଳାନନ୍ଦ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭଦ୍ରକ, ଓଡ଼ିଶା | ୨୪ ମଇ ୧୯୨୨
ମୃତ୍ୟୁ | ୧୦ ଜୁଲାଇ ୨୦୧୩ ୯୧) ଅହମଦାବାଦ[1] | (ବୟସ
ବୃତ୍ତି | ବୈଜ୍ଞାନିକ, ବିଜ୍ଞାନ-ଲେଖକ, ଅଧ୍ୟାପକ |
ଶିକ୍ଷା | ସ୍ନାତକୋତ୍ତର (ଏମ.ଏସ.ସି), ଆଚାର୍ଯ୍ୟ (ପି.ଏଚ.ଡି) |
ଶିକ୍ଷାନୁଷ୍ଠାନ | ପ୍ରେସିଡେନ୍ସି କଲେଜ, କଲିକତା[2] ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର |
ପୁରସ୍କାର | କଳିଙ୍ଗ ପୁରସ୍କାର |
ଜୀବନସାଥୀ | କୁମୁଦିନୀ ମହାପାତ୍ର |
ୱେବସାଇଟ | |
gnmfoundation.org |
ସ୍ୱର୍ଗତ ମହାପାତ୍ର, ୧୯୪୮ ମସିହାରେ ରସାୟନ ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କରିଥିଲେ ଏବଂ ୧୯୮୨ ମସିହାରେ ୧୯୮୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନର ପ୍ରଫେସର ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ (୨୮ ଜୁଲାଇ ୧୯୮୨ - ୨୦ ମଇ ୧୯୮୪)[6] ଓ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ (୦୧ ଅଗଷ୍ଟ ୧୯୭୦-୧୦ ଜୁନ ୧୯୭୨) ଭାବରେ କାର୍ଯ୍ୟ କରିଥିଲେ । ସେ ବିଜ୍ଞାନ ପ୍ରଚାର ସମିତିର ଜଣେ ସକ୍ରିୟ ସଭ୍ୟ ଭାବରେ ଏହାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।[7]
୨୦୧୦ ମସିହା ମେ ମାସରେ, 'ଡ. ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍' ନାମରେ ଏକ ସଂସ୍ଥା ଗଠନ କରି ସେ ସମାଜର ନବଜାତ ଶିଶୁ, ଅସହାୟ ବୃଦ୍ଧ ଓ ଅନାଥ ଶିଶୁଙ୍କର ଥଇଥାନ ଓ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।[8]
ବିଜ୍ଞାନ ସମ୍ବନ୍ଧୀୟ ବିଷୟକୁ ନେଇ ସେ ପ୍ରଥମେ ଓଡ଼ିଆରେ ଉପନ୍ୟାସ ଲେଖିଥିଲେ ।[9] ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜନପ୍ରିୟ କରିବା ନିମନ୍ତେ ସରଳ ଓ ସାବଲୀଳ ଭାଷାରେ ସେ ଅନେକ ବିଜ୍ଞାନ-ଭିତ୍ତିକ ଲେଖା ଲେଖିଛନ୍ତି ।
ନିଜର ପାଶ୍ଚାତ୍ୟ ଅନୁଭୂତିକୁ ନେଇ 'ନୀଳଚକ୍ରବାଳ ସେପାରେ' ଓ 'ପାଶ୍ଚାତ୍ୟ ସ୍ମୃତି' ଦୁଇଟି ଗ୍ରନ୍ଥ ଲେଖିଥିଲେ । ପରେ ଉଭୟ ପତି ଓ ପତ୍ନୀ, କୁମୁଦିନୀ ମହାପାତ୍ରଙ୍କ ମିଳିତ ଲେଖନୀରେ ପ୍ରକାଶ ପାଇଲା 'ଆମ ଆମେରିକା ଅନୁଭୂତି' । ଓଡ଼ିଆ ଭ୍ରମଣ ସାହିତ୍ୟରେ ଏହି ତିନୋଟି ଗ୍ରନ୍ଥ ଉପାଦେୟ । ତାଙ୍କୁ ବିଜ୍ଞାନଭିତ୍ତିକ ଲେଖାଲେଖି ଦିଗରେ 'ଶଙ୍ଖ'ର ସମ୍ପାଦକ ଡଃ. ମାୟାଧର ମାନସିଂହ ଓ 'ସହକାର'ର ସମ୍ପାଦକ ବାଳକୃଷ୍ଣ କର ଉତ୍ସାହିତ କରିଥିଲେ । ୧୯୪୬ ମସିହାରେ 'ଆଧୁନିକ ବିଜ୍ଞାନକୁ ଆଲକାତରାର ସାହାଯ୍ୟ' ହେଉଛି ତାଙ୍କର ପ୍ରଥମ ରଚନା । ଏତଦ୍ବ୍ୟତୀତ 'ସହକାର', 'ନବଭାରତ' ଓ 'ଚତୁରଙ୍ଗ' ପ୍ରଭୃତି ପତ୍ରିକାରେ ଲେଖାଲେଖି କରି ଜନପ୍ରିୟ ହୋଇଥିଲେ । ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ରଚନା କରିବାରେ ସେ ଥିଲେ ଅଗ୍ରଗଣ୍ୟ । 'ସହଜ ସାଧାରଣ ବିଜ୍ଞାନ- ୧ମ ଭାଗ' - ଷଷ୍ଠଶ୍ରେଣୀ, 'ସହଜ ସାଧାରଣ ବିଜ୍ଞାନ- ୨ୟ ଭାଗ' - ସପ୍ତମ ଶ୍ରେଣୀ ଏବଂ 'ସାଧାରଣ ବିଜ୍ଞାନ ପ୍ରବେଶିକା' ଓ 'ମାଧ୍ୟମିକ ସାଧାରଣ ବିଜ୍ଞାନ' ହାଇସ୍କୁଲ ଶ୍ରେଣୀ ପାଇଁ ଲେଖିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଆଇ,ଏସ୍ସି. ଶ୍ରେଣୀ ପାଇଁ 'ଇଣ୍ଟରମିଡିଏଟ କେମେଷ୍ଟ୍ରି' ଲେଖିଥିଲେ । ଏହାଥିଲା ସେତେବେଳେ ଓଡ଼ିଆ ଲେଖକଙ୍କଦ୍ୱାରା ପ୍ରଥମ ରସାୟନ ଶାସ୍ତ୍ରର ପାଠ୍ୟପୁସ୍ତକ । ବି.ଏସ୍ସି. ଶ୍ରେଣୀ ପାଇଁ ସେ ପାଠ୍ୟପୁସ୍ତକ ଲେଖିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପଚିଶିଟିରୁ ଅଧିକ ରସାୟନ ବିଜ୍ଞାନର ପାଠ୍ୟପୁସ୍ତକ ରଚନା କରିଥିଲେ । ସେ ଥିଲେ ଓଡ଼ିଶାରେ ଅଧିକ ରୟାଲ୍ଟି ପାଉଥିବା ଦ୍ୱିତୀୟ ଲେଖକ । ଓଡ଼ିଆ ଭାଷାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ 'ମହାବିଦ୍ୟାଳୟ ରସାୟନ ବିଜ୍ଞାନ' ୧ମ ଓ ୨ୟ ଭାଗ ଲେଖିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନ ସାହିତ୍ୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ଲାଗି ୧୯୪୯ ମସିହାରେ ସେ 'ବିଜ୍ଞାନ ପ୍ରଚାର ସମିତି' ପ୍ରତିଷ୍ଠା କରିଥିଲେ । ରେଭେନ୍ଶା କଲେଜ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାରେ ନିମଗ୍ନ ହୋଇଯାଇଥିଲେ । ବିଜ୍ଞାନ ତଥ୍ୟକୁ ନେଇ ସେ କବିତା ଓ ବହୁ ନାଟକ ରଚନା କରିଛନ୍ତି ।[10]
ଉଚ୍ଚକୋଟୀର ଗବେଷଣା ପାଇଁ ସର୍ବଭାରତୀୟ ସ୍ତରରେ ୧୯୬୧ ମସିହାରେ ସେ 'କୁପର୍ ସ୍ୱର୍ଣ୍ଣପଦକ' ହାସଲ କରିଥିଲେ । ୧୯୬୪ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା 'ଏ ଯୁଗର ଶ୍ରେଷ୍ଠ ଆବିଷ୍କାର' ପାଇଁ ପୁରସ୍କୃତ ହୋଇଥିଲେ । ଏହା ସହିତ ସାରଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ ପୂଜ୍ୟପୂଜା ସଂସଦର ବିଜୟା ସମ୍ମାନ ପ୍ରଭୃତି ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି । ବିଜ୍ଞାନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୦ ମସିହାରେ ସେ କଳିଙ୍ଗ ପୁରସ୍କାରରେ ଭୂଷିତ ହୋଇଥିଲେ ।[12][13][14][15]
୧୯୮୬ରେ ତାଙ୍କୁ "ଏ ଯୁଗର ଶ୍ରେଷ୍ଠ ଆବିଷ୍କାର" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[16]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.