ତରଳ ଝାଡ଼ା
From Wikipedia, the free encyclopedia
ତରଳ ଝାଡ଼ା (ଇଂରାଜୀରେ Diarrhea କିମ୍ବା diarrhoea) ରୋଗର ସଂଜ୍ଞା ଅନୁସାରେ ପ୍ରତ୍ୟେକ ଦିନ ଅତି କମ୍ରେ ତିନି ଥର ତରଳ ଝାଡ଼ା ହେବା ଆବଶ୍ୟକ । ଏହା ସାଧାରଣତଃ କିଛି ଦିନ ନିମନ୍ତେ ରହିପାରେ, ଫଳରେ ଦେହର ଜଳୀୟ ଅଂଶ ହ୍ରାସ (ନିର୍ଜଳନ) ହୁଏ । ଚର୍ମର ଇଲାସ୍ଟିସିଟି କମିଯିବା ଓ ରୋଗିର ବ୍ୟକ୍ତିତ୍ୱ ପରିବର୍ତ୍ତନ ହେଉଛି ନିର୍ଜଳନର ଚିହ୍ନ । ପରିସ୍ରା ପରିମାଣ କମିଯାଏ, ଚର୍ମ ଶେତା ଦେଖାଯାଏ, ନାଡ଼ି ଦୃତ ହୁଏ ଓ ଗମ୍ଭୀର ଅବସ୍ଥା ହେଲେ ଚେତନ ଅବସ୍ଥା କମେ ତଥା ସମ୍ବେଦନହୀନ ହୁଏ । ପାଣିଆ ଝାଡ଼ା ସ୍ତନ୍ୟପାନ କରୁଥିବା ପିଲାଙ୍କର ଝାଡ଼ା ପତଳା ହେଲେ ମଧ୍ୟ ତାହା ସାଧାରଣ । [2]
ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ । [2] ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇରଡିଜ୍ମ, ଲାକ୍ଟୋଜ ଇନ୍ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖଯୋଗ୍ୟ । [3] ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ । [4]
ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ । [2] ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି ।[1] ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । [2] ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବହାର କରିବା କଷ୍ଟକର ନୁହେଁ । [5] ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । [2] ଅଧିକାଂଶ କେଶରେ ପାଟିରେ ଏହି ତରଲ ପଦାର୍ଥ ଦେଇ ଚିକିତ୍ସା କରିହେବ । [6] ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । [4] ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ । [4]
ବାର୍ଷିକ ୧.୭ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ ।[2][3] ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲାମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ । [2] ସନ ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା । [2][7] ବାରମ୍ବାର ତରଳ ଝାଡ଼ା ହେଲେ ଅପପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । [2] ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।[7]