ମ୍ୟାଲେରିଆ
ମାଈ ଆନୋଫିଲିସ୍ ମଶା ବାହିତ ରୋଗ / From Wikipedia, the free encyclopedia
ମ୍ୟାଲେରିଆ ରୋଗ ହୁଏ ଏକ ପ୍ରୋଟୋଜୋଆନ ପ୍ଲାଜମୋଡିଅମ ଟାଇପର ଏକ-କୋଷି ଅଣୁବୀକ୍ଷଣିକ ପରଜୀବୀଦ୍ୱାରା (protozoans, a type of single cell microorganism) ଯାହା ମଶା ବାହିତ ହୁଏ ଓ ମାନବ ତଥା ଅନ୍ୟାନ୍ୟ ପଶୁମାନଙ୍କୁ ଆକ୍ରମଣ କରେ । [1] ଏହି ରୋଗରେ ସ୍ୱାଭାବିକ ଭାବେ ଜ୍ୱର, ଶରୀର ବେଆରାମ ଓ ଥକ୍କା ଲାଗେ, ବାନ୍ତି ଓ ମୁଣ୍ଡ ବଥା ହୁଏ । ରୋଗ ଗମ୍ଭୀର ହେଲେ କାମଳ ବା ଜଣ୍ଡିସ ହୁଏ, ବାତ ମାରେ ଓ କୋମା ହୋଇ ମୃତ୍ୟୁ ହୁଏ । [2] ମଶା କାମଡ଼ିବାର ୧୦ରୁ ୧୫ ଦିନ ପରେ ମ୍ୟାଲେରିଆ ଆରମ୍ଭ ହୁଏ । ଉପଯୁକ୍ତ ଚିକିତ୍ସା ନ ହେଲେ ମାସାଧିକ କାଳ ପରେ ଏହି ରୋଗ ଲେଉଟେ । [1] ଯେଉଁ ରୋଗୀ ଅଳ୍ପ ଦିନ ହେଲା ଭଲ ହୋଇଛି ତାକୁ ପୁନଃସଂକ୍ରମଣ ହେଲେ ଲକ୍ଷଣ ସ୍ୱଳ୍ପ ମାତ୍ରାରେ ଦେଖାଯାଏ । ପୁନଶ୍ଚ ସଂକ୍ରମିତ ନ ହେଲେ ଏହି ଆଂଶିକ ପ୍ରତିରୋଧ ଶକ୍ତି କିଛି ମାସ ବା ବର୍ଷ ପରେ କମିଯାଏ । [2]
Malaria | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], tropical medicine[*], parasitology[*] |
ଆଇସିଡ଼ି-୧୦ | B50. |
ଆଇସିଡ଼ି-୯-ସିଏମ୍ | 084 |
ଓଏମ୍ଆଇଏମ୍ | 248310 |
ରୋଗ ଡାଟାବେସ | 7728 |
ମେଡ଼ିସିନ-ପ୍ଲସ | 000621 |
ଇ-ମେଡ଼ିସିନ | med/1385 emerg/305 ped/1357 |
Patient UK | ମ୍ୟାଲେରିଆ |
MeSH | C03.752.250.552 |
ସାଧାରଣତଃ ଏହି ରୋଗ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ିଲେ ତାହାର ଲାଳରେ ଥିବା ପରଜୀବୀ ଶୁଣ୍ଢ ମାଧ୍ୟମରେ ମଣିଷର ରକ୍ତରେ ପ୍ରବେଶ କରେ । [1] ଏହି ପରଜୀବୀ ରକ୍ତରେ ପ୍ରବାହିତ ହୋଇ ଯକୃତରେ ପ୍ରବେଶ କରେ ଓ ସେଠାରେ ବଡ଼ ହୋଇ ପ୍ରଜନନ କରେ । [2] ଅଧିକାଂଶ ମୃତ୍ୟୁ ପ୍ଲାଜ୍ମୋଡ଼ିଅମ୍ ଫାଲସିପ୍ୟାରମ ଯୋଗୁ ହୁଏ ଓ ପ୍ଲାଜ୍ମୋଡ଼ିଅମ୍ ଭାଇଭାକ୍ସ, ପ୍ଲାଜ୍ମୋଡ଼ିଅମ୍ ଓଭେଲ ଇତ୍ୟାଦି ପରଜୀବୀମାନଙ୍କଦ୍ୱରା ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ । [1][2] ମଣିଷ ଦେହରେ ପ୍ଲାଜ୍ମୋଡ଼ିଅମ୍ ନଲେସି (P. knowlesi) କ୍ୱଚିତ୍ ରୋଗ କରେ । [1] ରୋଗୀର ରକ୍ତ ଫିଲ୍ମକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ମିଳିଲେ, କିମ୍ବା ମ୍ୟାଲେରିଆ ଆଣ୍ଟିଜେନ ଡିଟେକ୍ସନ୍ ଟେଷ୍ଟ (rapid diagnostic tests) କରି ଯୁକ୍ତାତ୍ମକ ଫଳ ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । [2] ମ୍ୟାଲେରିଆ ପ୍ରବଣ ଇଲାକାରେ ପଲିମରେଜ ଚେନ ରିଆକ୍ସନ ପରୀକ୍ଷାଦ୍ୱାରା ମଶାର ଡି.ଏନ.ଏ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରିବା ଜଟିଳତା ଓ ବହୁଳ ବ୍ୟୟସାପେକ୍ଷ ଯୋଗୁ ସମ୍ଭବ ହେଉନି । [3]
ମ୍ୟାଲେରିଆ ସଙ୍କଟ ଚାରି ଉପାୟରେ ରୋକି ହୁଏ: ମଶାରୀ ବ୍ୟବହାର କରି ମଶା କାମୁଡ଼ାରୁ ରକ୍ଷା ପାଇବା, ମଶାଦୂରକାରୀ ଔଷଧ ବ୍ୟବହାର କରିବା, ମଶାମାରୀ ଔଷଧ ସିଞ୍ଚି ତାଙ୍କୁ ମାରିବା ଓ ସ୍ଥିର ଜଳାଶୟକୁ ନିଷ୍କାସନ କରିବା । [2] ମ୍ୟାଲେରିଆ ପ୍ରବଣ ଇଲାକାକୁ ଯାଉଥିବା ଲୋକଙ୍କୁ ଏହି ରୋଗରୁ ରକ୍ଷା କରିବା ନିମନ୍ତେ କେତେକ ମ୍ୟାଲେରିଆ ପ୍ରତିଷେଧକ ଔଷଧ ଦିଆଯାଏ । ଅତ୍ୟଧିକ ମ୍ୟାଲେରିଆ ହେଉଥିବା ଇଲାକାରେ ପ୍ରଥମ ତିନିମାସ ପରର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସଲ୍ଫାଡକ୍ସିନ/ପାଇରିମେଥାମିନ ବଟିକା ଦିଆଯାଏ । ଆବଶ୍ୟକ ହେଉଥିବା ଟିକା ବାହାରି ନାହିଁ, ଚେଷ୍ଟା ଚାଲିଛି । [1] କେତେକ ମ୍ୟାଲେରିଆ ଦୂରକାରୀ ଔଷଧ ସହ ଆର୍ଟେମିସିନିନ ଦେବାକୁ ସୁପାରିସ କରାଯାଏ । [1][2] ଦ୍ୱିତୀୟ ଧାଡ଼ିରେ ମେଫ୍ଲୋକ୍ୱିନ, ଲୁମେଫାଣ୍ଟ୍ରିନ କିମ୍ବା ସଲ୍ଫାଡକ୍ସିନ/ପାଇରିମେଥାମିନ ଦିଆଯାଏ ।[4] ଆର୍ଟେମିସିନିନ ନ ମିଳିଲେ କୁଇନାଇନ୍ ଓ ଡକ୍ସିସାଇକ୍ଲିନ ବ୍ୟବହାର କରାଯାଇ ପାରେ । [4] ଔଷଧ ପ୍ରତିରୋଧ ସମସ୍ୟା ଯୋଗୁ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମ୍ୟାଲେରିଆ ନିଶ୍ଚିତତା ପରୀକ୍ଷା କରିବା ଆବଶ୍ୟକ । ଅନେକ ଔଷଧର ପ୍ରତିରୋଧ ବାହାରିଲାଣି ଯଥା କ୍ଲୋରୋକ୍ୱିନ ପ୍ରତିରୋଧକାରୀ ଫ୍ୟାଲ୍ସିପ୍ୟାରମ ଓ ଦକ୍ଷିଣପୂର୍ବ ଏସିଆରେ ଆର୍ଟେମିସିନିନ ପ୍ରତିରୋଧ ଏକ ସମସ୍ୟା ସୃଷ୍ଟି କଲାଣି । [1]
ପ୍ଲାଜମୋଡିୟମର ପାଞ୍ଚଟି ପ୍ରଜାତି ମନୁଷ୍ୟମାନଙ୍କୁ ଆକ୍ରମଣ କରିପାରେ ତଥା ସଂକ୍ରାମକ ହୋଇଥାଏ । ଅତ୍ୟଧିକ ମାତ୍ରାରେ ମ୍ୟାଲେରିଆ କରାଉଥିବା ଜୀବାଣୁଟି ହେଲା ପି. ଫାଲସିପାରମ; କିନ୍ତୁ ପି. ଭିଭାକ୍ସ, ପି. ଓଭାଲ, ପି. ମ୍ୟାଲେରିଏ କମ ସଂକ୍ରମିତ କରିଥାଏ ଓ ବିଶେଷ କ୍ଷତି ପହଞ୍ଚାଇ ନଥାଏ। ପଶୁଠାରୁ ମଣିଷକୁ ସଂକ୍ରମିତ ହେଉଥିବା ଜୀବାଣୁ ପି.ନୋବେଲ୍ସି ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଏ ଓ ମାକେକ ନାମକ ଏକ ପ୍ରକାର ମାଙ୍କଡକୁ ଆକ୍ରମଣ କରିଥାଏ; କିନ୍ତୁ ମଣିଷକୁ ମଧ୍ୟ ସଂକ୍ରମିତ ହୋଇପାରେ । ମ୍ୟାଲେରିଆର ପ୍ରଭାବ ମୁଖ୍ୟଭାବେ ଉଷ୍ଣକୋଟି ଅଞ୍ଚଳ(ଭୂମଧ୍ୟ ରେଖାର ୨୩ ଡିଗ୍ରୀ ୨୬ ମିନିଟ ୧୬ ସେକେଣ୍ଡ ଉତ୍ତର ଓ ଦକ୍ଷିଣ)ରେ ଦେଖାଯାଏ । ଏହି ସବୁ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ, ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା, ସ୍ଥିର ଜଳରାଶି ପ୍ରଭୃତି ମଶାମାନଙ୍କ ଲାର୍ଭାର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରସ୍ତୁତ ୨୦୧୦ରେ ଏକ ଆକଳନ ଅନୁସାରେ, ସମଗ୍ର ବିଶ୍ୱରେ ୨୧.୬ କୋଟି ବ୍ୟକ୍ତିଙ୍କର ମ୍ୟାଲେରିଆ ହେବାର ଲିଖିତ ତଥ୍ୟ ରହିଛି। ପ୍ରାୟ ୬୫୫,୦୦୦ ଜଣ ଏହି ରୋଗ ଫଳରେ ମୃତ୍ୟୁବରଣ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ୫ ବର୍ଷରୁ କମ ବୟସର ଶିଶୁ। [5] ପ୍ରକୃତରେ କହିବାକୁ ଗଲେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ କାରଣ ଗ୍ରାମାଞ୍ଚଳରୁ ସଠିକ ପରିମାଣରେ ତଥ୍ୟ ସଂଗ୍ରହ କରାଯାଇନାହିଁ। ଅଧିକଂଶ ମୃତ୍ୟୁର କାରଣ - ପି.ଫାଲସିପାରମ ଜୀବାଣୁ। ଅର୍ଥନୈତିକ ଅଭିବୃଦ୍ଧିର ଆଢୁଆଳରେ ମ୍ୟାଲେରିଆ ମୁଖ୍ୟଭାବେ ଦାରିଦ୍ର୍ୟତା ସହ ଜଡ଼ିତ ଏବଂ ଦାରିଦ୍ର୍ୟତାର କାରଣ ମଧ୍ୟ।
ଆଧୁନିକ ସମୟରେ ବହୁ ଆବଶ୍ୟକତା ସତ୍ତ୍ୱେ କୌଣସି ଉଚ୍ଚମାନର ଔଷଧ ମ୍ୟାଲେରିଆ ପାଇଁ ଉପଲବ୍ଧ ନାହିଁ । ଏଥି ନିମନ୍ତେ ଗବେଷଣା ଚାଲୁ ରହିଛି। ଅତ୍ୟଧିକ ମ୍ୟାଲିରିଆକୁ ଇଣ୍ଟ୍ରାଭେନସ ପଦ୍ଧତି (ଶିରା ମାଧ୍ୟମରେ ଦେହକୁ ଜଳୀୟ ଅଂଶର ପ୍ରବେଶ), ଇଣ୍ଟ୍ରାମସ୍କୁଲାର ପଦ୍ଧତି(ଦେହର ମାଂଶପେଶୀରେ ଇଞ୍ଜେକ୍ସନ) ବା କୁଇନାଇନ(ଏକ ପ୍ରକାର ଜ୍ୱର-ବ୍ୟଥା ନାଶକ ଧଳା ରଙ୍ଗର କ୍ଷାରୀୟ ବଟିକା)ଦ୍ୱାରା ଚିକିତ୍ସା କରାଯାଇଥାଏ। ୨୦୦୦ ଦଶକର ମଧ୍ୟଭାଗରୁ କୁଇନାଇନ ବଦଳରେ ଆର୍ଟେମିସିନିନ ଯାହାକି ଟିକିଏ ଉଚ୍ଚମାନର ତାହା ଉଭୟ ଶିଶୁ ତଥା ପ୍ରାପ୍ତ ବୟସ୍କଙ୍କ ପାଇଁ ମେଫ୍ଲୋକୁଇନ ସହିତ ଦିଆଯାଉଅଛି।