ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ From Wikipedia, the free encyclopedia
ହେପାଟାଇଟିସ ବି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଏହା ଉଭୟ ତ୍ୱରିତ ଓ ଦୀର୍ଘସ୍ଥାୟୀ ରୋଗ କରେଇ ପାରେ । ସଂକ୍ରମଣ ପ୍ରାରମ୍ଭରେ ଏନେକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେତେକ ରୋଗୀ ଶୀଘ୍ର ରୋଗା ଅନୁଭବ କରି ବାନ୍ତି କରନ୍ତି, ଚମ ହଳଦିଆ ଦେଖାଯାଏ, ଥକ୍କା ଲାଗେ, ଗାଢ଼ ପରିସ୍ରା ହୁଏ ଓ ପେଟ ଯନ୍ତ୍ରଣା ହୁଏ । [1] ଅଧିକାଂଶ ସମୟରେ ରୋଗ କିଛି ସପ୍ତାହ ପର୍ୟ୍ୟନ୍ତ ରହେ, କ୍ୱଚିତ୍ ଏହି ସମୟରେ ମୃତ୍ୟୁ ହୁଏ । [1][2] ସଂକ୍ରମଣର ୩୦ରୁ ୧୮୦ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [1] ଜନ୍ମ ସମୟରେ ସଂକ୍ରମିତ ହେଲେ ୯୦ % କେଶ୍ରେ ଦୀର୍ଘସ୍ଥାୟୀ ହେପାଟାଇଟିସ ବି ରୋଗ ହୁଏ କିନ୍ତୁ ୫ ବର୍ଷ ବୟସ ପରେ ସଂକ୍ରମିତ ହେଲେ ୧୦ %ରୁ କମ୍ ଲୋକଙ୍କର ଏ ଭଳି ହୁଏ । [3] ଅଧିକାଂଶ ଦୀର୍ଘସ୍ଥାୟୀ ରୋଗୀ ଲକ୍ଷଣହୀନ ଥାଆନ୍ତି, କିନତୁ ସିରୋସିସ୍ ଓ ଯକୃତ କର୍କଟ ଅବଶେଷରେ ହୁଏ । [4] ଏହି ଜଟିଳତା ଯୋଗୁ ୧୫ରୁ ୨୫ % ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । [1]
ସଂକ୍ରମିତ ରକ୍ତ ଓ ଦେହ ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଭୂତାଣୁ ସଞ୍ଚାରିତ ହୁଏ । ଅଧିକ ରୋଗ ଥିବା ସ୍ଥାନରେ ଜନ୍ମ ସମୟରେ ସଂକ୍ରମଣ କିମ୍ବା ପିଲାବେଳେ ରୋଗୀ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ଅତି ସାଧାରଣ କଥା । କ୍ୱଚିତ୍ ଦେଖାଯାଉଥିବା ସ୍ଥାନରେ ଶୀରାମାଧ୍ୟମ ନିଶା ଇଞ୍ଜେକ୍ସନ୍ ନେଲେ ଓ ଯୌନ ସମ୍ଭୋଗ ସମୟରେ ଏହା ସଞ୍ଚାରିତ ହୁଏ । [1] ସ୍ୱାସ୍ଥ୍ୟ ସେବାରେ କାମ କଲେ, ରକ୍ତ ଟ୍ରାନ୍ସଫ୍ୟୁଜନ୍, ଡାଏଲିସିସ୍, ସଂକ୍ରମିତ ଲୋକଙ୍କ ସହ ଏକତ୍ର ବାସ ଓ ଅତ୍ୟଧିକ ରୋଗ ପ୍ରବଣ ଦେଶମାନଙ୍କରେ ବୁଲିଲା ବେଳେ ଏହି ସଙ୍କଟାପନ୍ନ କାରକ ସୃଷ୍ଟି ହୁଏ । [1][3] ସନ ୧୯୮୦ରେ ଟାଟୁ ଓ ଆକୁପଙ୍କଚର୍ ଜରିଆରେ ଏହି ରୋଗ ଅନେକ ପରିମାଣରେ ବୃଦ୍ଧି ପ୍ରାପ୍ତ ହୋଇଥିଲା କିନ୍ତୁ ଉପଯୁକ୍ତ ବିଶୋଧନ ଫଳରେ ଏହାର ସଂଖ୍ୟା କମିଯାଇଛି । [5] ହାତ ଧରିଲେ, ଏକା ବାସନରେ ଖାଇଲେ, ଚୁମ୍ବନ ଦେଲେ, କୁଣ୍ଢେଇଲେ, କାଶିଲେ, ଛିଙ୍କିଲେ କିମ୍ବା ସ୍ତନ୍ୟପାନ କରେଇଲେ ଏହି ହେପାଟାଇଟିସ୍ ବି ଭୂତାଣୁ ଡିଏଁ ନାହିଁ । [3] ସଂକ୍ରମିତ ହେବାର ୩୦ରୁ ୬୦ ଦିନ ପରେ ରୋଗ ନିର୍ଣ୍ଣୟ କରିହୁଏ । ରକ୍ତ ପରୀକ୍ଷା କରି ଭୂତାଣୁର ଅଂଶ ଖୋଜିବା ଓ ଆଣ୍ଟିବଡି ଉପସ୍ଥିତି ଖୋଜି ରୋଗ ନିର୍ଣ୍ଣୟ କରାଯାଏ । [1] ହେପାଟାଇଟିସ୍ ଭୂତାଣୁ ଦଳରେ ଏ, ବି, ସି, ଡି, ଇ ଇତ୍ୟାଦି ପାଞ୍ଚ ପ୍ରକାର ଭୂତାଣୁ ଚିହ୍ନଟ କରାଯାଇଛି ।
ସନ ୧୮୮୨ରୁ ପ୍ରତିଷେଧ ଟିକା ଦେଇ ଏହି ରୋଗରୁ ରକ୍ଷା ମିଳି ପାରୁଛି । [1][6] ସମ୍ଭବ ହେଲେ ଜନ୍ମ ହେବାର ପ୍ରଥମ ଦିନରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ୍ କରୁଛି । ପୂର୍ଣ୍ଣ କାର୍ଯ୍ୟକାରୀତା ନିମନ୍ତେ ପରେ ଆଉ ୨ ବା ୩ ଡୋଜ ଦରକାର ହୁଏ । ଟିକା ୯୫ % ସମୟରେ ସଫଳ ହୁଏ । [1] ୨୦୦୬ ମସିହାରେ ୧୮୦ଟି ଦେଶ ଜାତୀୟ କାର୍ଯ୍ୟକ୍ରମ ହିସାବରେ ଟିକାକରଣ କରାଇଛନ୍ତି । [7] ରକ୍ତ ଟ୍ରାନ୍ସଫ୍ୟୁଜନ୍ ସମୟରେ ଏହି ରୋଗର ଉପସ୍ଥିତି ଜାଣିବା ନିମନ୍ତେ ପରୀକ୍ଷା ଆବଶ୍ୟକ । ସଂକ୍ରମଣ ରୋକିବାକୁ କଣ୍ଡୋମ ବ୍ୟବହାର କରାଯାଇ ପାରେ । ପ୍ରାରମ୍ଭିକ ରୋଗ ସମୟରେ ଲକ୍ଷଣ ଅନୁସାରେ ଯତ୍ନ ନିଆଯାଏ । ସ୍ଥାୟୀ ବା କ୍ରନିକ୍ ରୋଗ ଥିଲେ ଆଣ୍ଟିଭାଇରାଲ୍ ଔଷଧ ଯେପରିକି ଟେନୋଫୋଭିର୍ କିମ୍ବା ଇଣ୍ଟର୍ଫେରନ୍ ଉପକାରୀ ହୋଇପାରେ, କିନ୍ତୁ ଏଗୁଡ଼ିକ ଅତ୍ୟନ୍ତ ବ୍ୟୟସାପେକ୍ଷ । ସିରୋସିସ୍ ହୋଇଥିଲେ ବେଳେବେଳେ ଯକୃତ ଟ୍ରନ୍ସପ୍ଲାଣ୍ଟ ଉପଯୋଗୀ ହୁଏ । [1]
ପୃଥିବୀର ଏକ ତୃତୀୟାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ସଂକ୍ରମିତ ହୁଅନ୍ତି ଓ ୨୪୦ ନିୟୁତରୁ ୩୫୦ ନିୟୁତ ଲୋକ କ୍ରନିକ ରୋଗ ଭୋଗନ୍ତି । [1][8] ପ୍ରତି ବର୍ଷ ଏହି ରୋଗରେ ୭୫୦,୦୦୦ ଲୋକ ମରିଯାଆନ୍ତି । [1] ଆଞ୍ଚଳିକ ରୋଗ ଭାବେ ଏହା ପୂର୍ବ ଏସିଆ ଓ ସବ୍-ସାହାରାରେ ଅଛି ଓ ସେଠାରେ ୫ରୁ ୧୦ % ବୟସ୍କ କ୍ରନିକ ରୋଗୀ ଅଛନ୍ତି । ୟୁରୋପ ଓ ଉତ୍ତର ଆମେରିକାରେ ଏହାର ହାର ୧%ରୁ କମ୍ । [1] ପୂର୍ବରୁ ଏହାର ନାମ ସେରମ୍ ହେପାଟାଇଟିସ୍ ଥିଲା । [9] ଟିକା ମିଶ୍ରତ ଖାଦ୍ୟ ତିଆରି କରିବା ନିମନ୍ତେ ଗବେଷଣା ଚାଲିଛି । [10] ଏହି ରୋଗ ଅନ୍ୟ ପଶୁଙ୍କୁ (great apes) ମଧ୍ୟ ଆକ୍ରମଣ କରେ । [11]
ହେପାଟାଇଟିସ୍ ବି ଭୁତାଣୁର ତୀବ୍ର ସଂକ୍ରମଣରେ ତୀବ୍ର ବା ଆକ୍ୟୁଟ ଭୁତାଣୁ ହେପାଟାଇଟିସ ହୁଏ ଯାହାର ଖରାପ ସ୍ୱାସ୍ଥ୍ୟ ଥାଏ, ଅରୁଚି, ଅଇ, ବାନ୍ତି, ଦେହ ପୀଡ଼ା, ସାମାନ୍ୟ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ଓ ଗାଢ଼ ପରିସ୍ରା ହୋଇ ଅବଶେଷରେ କାମଳ ବା ଜଣ୍ଡିସ ହୁଏ । ସମସ୍ତ ପ୍ରକାରର ହେପାଟାଇଟିସରେ ଚମ ଗଲୁ ହୁଏ । ଏହି ବେମାରୀ କିଛି ସପ୍ତାହ ପର୍ଯ୍ୟନ୍ତ ରହିବା ପରେ ଧୀରେ ଧୀରେ ଅଧିକାଂଶ କେଶ୍ରେ ଉନ୍ନତି କରେ । ଅଳ୍ପ କିଛି ସଂଖ୍ୟକ ରୋଗୀଙ୍କର ଅଧିକ ଗମ୍ଭୀର ଯକୃତ ରୋଗ (ଫଲ୍ମିନାଣ୍ଟ ହେପାଟିକ ଫେଲ୍ୟୁର) ହୁଏ ଓ ଏହା ଫଳରେ ମୃତ୍ୟୁ ହୁଏ । ଏହି ସଂକ୍ରମଣ ବେଳେ ବେଳେ ଲକ୍ଷଣବିହୀନ ହୋଇଥାଏ ଓ ଅଚିହ୍ନା ରହିଯାଏ ।[12]
ହେପାଟାଇଟିସ ବି କ୍ରନିକ ସଂକ୍ରମଣ ହୋଇଥିଲେ ଲକ୍ଷଣବିହୀନ ହୋଇପାରେ ବା କ୍ରନିକ ଯକୃତ ପ୍ରଦାହ ହୋଇ କିଛି ବର୍ଷ ମଧ୍ୟରେ ସିରୋସିସ୍ ରୋଗକୁ ଗତି କରିପାରେ । ଏହା ଯୋଗୁ ନାଟକୀୟ ଭାବରେ ଯକୃତ କର୍କଟ (ହେପାଟୋସେଲ୍ୟୁଲାର କର୍କଟ) ରୋଗୀ ସଂଖା ବଢ଼େ । ୟୁରୋପରେ ସମୁଦାୟ ହେପାଟୋସେଲ୍ୟୁଲାର କର୍କଟ ସଂଖ୍ୟାର ୫୦ % ଏହି ହେପାଟାଇଟିସ ବି ଓ ସି ଦ୍ୱାର ହୁଏ ।[13][14] କ୍ରନିକ ରୋଗ ଜୀବାଣୁ ବାହକ ମଦ୍ୟ ପାନରୁ ବିରତ ରହିବାକୁ ପରାମର୍ଶ ଦିଆଯାଏ ଯେହେତୁ ତାଙ୍କର ଅଧିକ ସିରୋସିସ୍ ଓ ଯକୃତ କର୍କଟ ସଙ୍କଟ ରହିଥାଏ । ହେପାଟାଇଟିସ ବି ଭୁତାଣୁର ମେମ୍ବ୍ରେନସ୍ ଗ୍ଲୋମେରୁଲୋନେଫ୍ରାଇଟିସ (ଏମଜିଏନ) (membranous glomerulonephritis) ରୋଗ ସହ ଲିଙ୍କ ଥିବା ଜଣାଯାଏ ।[15]
ଏଚବିଭି ସଂକ୍ରମିତ ଲୋକଙ୍କ ମଧ୍ୟରୁ ଯକୃତ ବାହାରେ ହେଉଥିବା ଲକ୍ଷଣ ମଧ୍ୟରେ ସେରମ-ସିକନେସ-ଲାଇକ-ସିଣ୍ଡ୍ରୋମ, ଆକ୍ୟୁଟ ନେକ୍ରୋଟାଇଜିଙ୍ଗ ଭାସ୍କୁଲାଇଟିସ (ପଲିଆର୍ତେରାଇଟିସ ନୋଡୋସା), ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ ଓ ପାପୁଲାର ଆକ୍ରୋଡର୍ମାଟାଇଟିସ ଅଫ ଚାଇଲ୍ଡ୍ହୁଡ୍ ଇତ୍ୟାଦି ଦେଖାଯାଏ ।[16][17] ହେପାଟାଇଟାଇଟିସ ବି ରୋଗରେ କାମଳ ରୋଗ ହେବା ପୂର୍ବରୁ ସେରମ-ସିକନେସ-ଲାଇକ-ସିଣ୍ଡ୍ରୋମ ଦେଖାଯାଏ । [18] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ଚର୍ମ ରାସ୍ ଓ ପଲିଆର୍ଟେରାଇଟିସ ମୂଖ୍ୟ । କାମଳ ଆରମ୍ଭ ହେବା ପରେ ଏହା କମିଯାଏ କିନ୍ତୁ ଏହା ଆକ୍ୟୁଟ ହେପାଟାଇଟିସ ବି ରୋଗ ଥିବା ପର୍ଯ୍ୟନ୍ତ ରହିପାରେ ।[19] ଆକ୍ୟୁଟ ନେକ୍ରୋଟାଇଜିଙ୍ଗ ଭାସ୍କୁଲାଇଟିସ (ପଲିଆର୍ଟେରାଇଟିସ ନୋଡୋସା) ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦–୫୦% ରୋଗୀ ଏଚବିଭି ବାହକ/କ୍ୟାରିଅର ଥାଆନ୍ତି ।[20] ଏଚବିଭି ସହଯୋଗୀ ନେଫ୍ରୋପାଥି ପିଲାଙ୍କର ବେଶୀ ହୁଏ ବୟସ୍କଙ୍କ ଅପେକ୍ଷା ।[21][22] ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ ଏକ ଅତି ସାଧାରଣ ଆକାର । [19] ଅନ୍ୟାନ୍ୟ ଇମ୍ମ୍ୟୁନ ପଦ୍ଧତି ହେମାଟୋଲୋଜିକାଲ ବେମାରୀ ମଧ୍ୟରେ କ୍ରାୟୋଗ୍ଲୋବ୍ୟୁଲିନେମିଆ ଓ ଆପ୍ଲାସ୍ଟିକ ଆନିମିଆ ଇତ୍ୟାଦି ଦେଖାଯାଏ ।[19]
ରକ୍ତ ଓ ଦେହର ତରଳ ପଦାର୍ଥରେ ହେପାଟାଇଟିସ ବି ଭୁତାଣୁ ଥିଲେ ଏହାର ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ । ଏଚଆଇଭି ଅପେକ୍ଷା ଏହି ଭୁତାଣୁ ୫୦ରୁ ୧୦୦ ଗୁଣ ଅଧିକ ସଂକ୍ରମକ ।[23] ପ୍ରସାରଣ ମାଧ୍ୟମ ହେଲା ଯୌନ ସମ୍ପର୍କ,[24] ରକ୍ତ ଓ ଅନ୍ୟାନ୍ୟ ରକ୍ତ ସମ୍ପର୍କୀୟ ପଦାର୍ଥର ଟ୍ରାନ୍ସଫ୍ୟୁଜନ, [25] ସିରିଞ୍ଜ ଓ ଛୁଞ୍ଚି ପୁନର୍ବାର ବ୍ୟବହାର କଲେ,[26] ଓ ମାଆଠାରୁ ଶିଶୁକୁ (vertical transmission) ପ୍ରସବ କାଳରେ । ପ୍ରସବ ସମୟରେ ମାତା ଏଚବିଏସଏଜି ଯୁକ୍ତ ଥିଲେ ୨୦ % ପ୍ରସାରଣ ସଙ୍କଟ ଥାଏ । ମାତା ଏଚବିଇଏଜି ଯୁକ୍ତ ଥିଲେ ୯୦ % ସଂକ୍ରମଣ ସଙ୍କଟ ରହେ । ଚର୍ମ ଖଣ୍ଡିଆ ଥିଲେ ବା ମ୍ୟୁକସ ଝିଲ୍ଲି ଓ ଲାଳରେ ଏଚବିଭି ଥିଲେ ଘରେ ପରିବାର ମଧ୍ୟରେ ଏହା ସଞ୍ଚାରିତ ହୁଏ ।[27] ଅନ୍ୟ ପକ୍ଷରେ ୩୦ % ହେପାଟାଇଟିସ ବି ରୋଗର କୌଣସି ସଙ୍କଟ ଜନକ ଅବସ୍ଥା ମିଳେନାହିଁ ।[28] ଉପଯୁକ୍ତ ଟିକା ନେଲା ପରେ ସ୍ତନ୍ୟପାନଦ୍ୱାରା ଏଚବିଭି(ଏମଟିସିଟି) ହେବା ଜଣାଯାଏ ନାହିଁ । [29]
ହେପାଟାଇଟିସ ବି ଭୁତାଣୁ ହେପାଡନାଭୁତାଣୁ ପରିବାରର ଏକ ସଭ୍ୟ ।[30] ଏହାର ଭୁତାଣୁ ପାର୍ଟିକ୍ଲ ବା ଭିରିଅନ ଗୋଟିଏ ବାହ୍ୟ ଲିପିଡ ଖୋଳ ଓ ଗୋଟିଏ ଇକୋସାହେଡ୍ରାଲ ନ୍ୟୁକ୍ଲିଓକ୍ୟାପସିଡ ଅଭ୍ୟନ୍ତରକୁ ନେଇ ଗଠିତ । କୋର ବା ଅଭ୍ୟନ୍ତରରେ ପ୍ରୋଟିନ ଥାଏ । ଏହି ଭିରିଅନର ବ୍ୟାସ ୩୦-୪୨ ଏନଏମ । ଭୁତାଣୁ ଡିଏନଏ ଓ ରେଭର୍ସ ଟ୍ରନ୍ସ୍ପଲିମରେଜ ଥିବା ଡିଏନଏ ପାଲିମରେଜ ଅଭ୍ୟନ୍ତରକୁ ନ୍ୟୁକ୍ଲିଓକ୍ୟାପସିଡ ଘୋଡ଼େଇ ରଖେ ।[31] ବାହ୍ୟ ଘୋଡ଼ଣିରେ ପ୍ରୋଟିନ ଥାଏ ଯାହା ଭୁତାଣୁ ବନ୍ଧନରେ ସହଯୋଗ କରେ ଓ ସମ୍ବେଦନଶୀଳ ଜୀବକୋଷରେ ପ୍ରବେଶ କରେ । ସବୁଠାରୁ କ୍ଷୁଦ୍ର ଭୁତାଣୁ ମଧ୍ୟରୁ ଏହା ଗୋଟିଏ ଓ ଯକୃତର କୋଷକୁ(ହେପାଟୋସାଇଟ) ଭେଦ କରିବାକୁ ସକ୍ଷମ ୪୨ଏନଏମ ଭିରିଅନ ପାର୍ଟିକ୍ଲକୁ ଡେନ ପାର୍ଟିକ୍ଲ ମଧ୍ୟ କୁହାଯାଏ ।[32] ସଂକ୍ରମିତ ଲୋକର ସେରମରେ ଡେନ ପାର୍ଟକ୍ଲ ବ୍ୟତୀତ କୋର ବିହୀନ ଫିଲାମେଣ୍ଟ ଓ ପେଣ୍ଡୁ ଆକୃତିର ପଦାର୍ଥ ମଧ୍ୟ ଥାଏ । ଏଗୁଡ଼ିକ ସଂକ୍ରାମକ ନୁହେଁ ଓ ଏଥିରେ ଲିପିଡ ଓ ପୃଷ୍ଠ ଦେଶରେ ପ୍ରୋଟିନ ଥାଏ ଯାହାକୁ ବାହ୍ୟ ଆଣ୍ଟିଜେନ ଏଚବିଏସଏଜି (HBsAg) କୁହାଯାଏ ଓ ଏହା ଭୁତାଣୁର ଜୀବନ କାଳରେ ଅତ୍ୟଧିକ ମାତ୍ରାରେ ତିଆରି ହୁଏ ।[33]
ଏଚବିଭିର ଜେନୋମ ବୃତ୍ତାକାର କିନ୍ତୁ ସମ୍ପୁର୍ଣ୍ଣ ଦୈତ ଧାଡ଼ିର ନୁହେଁ । ଏହାର ଗୋଟିଏ ମୁଣ୍ଡ ଭୁତାଣୁ ଡିଏନଏ ପଲିମରେଜ ସହିତ ସଂଯୁକ୍ତ । ଏହାର ଦୀର୍ଘ ଧାଡ଼ିର ସମ୍ପୁର୍ଣ୍ଣ ଲମ୍ବ ୩୦୨୦–୩୩୨୦ ନ୍ୟୁକ୍ଲିଓଟାଇଡ ଲମ୍ବା ଓ ଛୋଟ ଧାଡ଼ିର ଲମ୍ବ ୧୭୦୦–୨୮୦୦ ନ୍ୟୁକ୍ଲିଓଟାଇଡ ।[34] ନେଗେଟିଭ-ସେନ୍ସ (ନନ୍-କୋଡିଙ୍ଗ) ଭୁତାଣୁ ଏମଆରଏନଏର ଅନୁପୂରକ । ଜୀବକୋଷ ସଂକ୍ରମଣ ପରେ ପରେ ଭୁତାଣୁ ଡିଏନଏ ନ୍ୟୁକ୍ଲିଅସରେ ଥିବା ଦେଖାଯାଏ ।
ରୋଗୀର ରକ୍ତ ବା ସେରମ ପରୀକ୍ଷାଦ୍ୱାର ଭୂତାଣୁର ଆଣ୍ଟିଜେନ ବା ଆଣ୍ଟବଡି ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ ।
ଏହାର ଟିକା ଶିଶୁ ଜନ୍ନ ହେବାର ପ୍ରଥମ ଦିନରେ ଦେବାକୁ ସୁପାରିସ କରାଯାଏ । କିଛି ମାସ ମଧ୍ୟରେ ତିନୋଟି ଟିକା ଦିଆଯାଏ । ଏହି ଟିକାରେ ଜୀବନ୍ତ ଭୂତାଣୁ ନଥାନ୍ତି ।
ଏହି ରୋଗ ନିମନ୍ତେ ସାଧାରଣତଃ କୌଣସି ଚିକିତ୍ସା ଆବଶ୍ୟକ ହୁଏନାହିଁ । ଆପେ ଆପେ ଏହି ସଂକ୍ରମଣ ଭଲ ହୋଇଯାଏ । ପ୍ରାୟ ୧୨% ଲୋକଙ୍କର ଆଣ୍ଟିଭାଇରାଲ ଚିକିତ୍ସା ଆବଶ୍ୟକ ହୁଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.